ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା କଡ଼ାକଡ଼ି

ଆନନ୍ଦପୁର,୩୧। ୧(ସ୍ବ.ପ୍ର.)- ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ଜିଲାଠାରୁ ଆରମ୍ଭ କରି ଉପଖଣ୍ଡ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କ୍ରମାଗତ ଭାବେ ଆନନ୍ଦପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟ ତଦାରଖ କରୁଥିବାବେଳେ ଏସପି ମିତ୍ରଭାନୁ ମହାପାତ୍ର ଆନନ୍ଦପୁର ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିଥିବା ଜଣାପଡିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ବିଭିନ୍ନ କାର୍ଯ୍ୟକୁ ତଦାରଖ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବ୍ୟାପକ ଜନସମାଗମର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଉଭୟ ନିର୍ବାଚନମଣ୍ଡଳୀର ବିଧାୟକ ଭିନ୍ନ ଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନଙ୍କୁ ନେଇ ଉଚ୍ଚ ସ୍ତରୀୟ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି। ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲା ଏସ୍‌ପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୭ ଜଣ ଡିଏସପି, ୧୭ ଜଣ ଇନ୍ସପେକ୍ଟର, ୪୦ ଜଣ ଏସଆଇ, ୭୨ ଜଣ ଏଏସଆଇ, ୭୫ ଜଣ କନେଷ୍ଟବଳ, ୧୮୦ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିବାବେଳେ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବି.ଏନ.ହାଇସ୍କୁଲର ପ୍ଟାଟିନମ୍‌ ଜୁବିଲି ୩୧ ତାରିଖ ଦିନ ଉଦ୍‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆସି ଦିନ ୧୧ଟା ୪୫ରେ ବି.ଏନ.ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ ୧୧.୫୫ ରେ ନିକଟରେ ଥିବା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମଧ୍ୟାହ୍ନ ୧୨ ଟାରେ ବି.ଏନ. ହାଇସ୍କୁଲ ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ପରେ ୧୨ଟା୪୦ରେ ଆନନ୍ଦପୁର ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।