ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାର୍ଚ୍ଚ ୨୨ରୁ ୨୯ ଯାଏ ୫ ଜିଲା ସମ୍ପୂର୍ଣ୍ଣ ‘ଲକ୍‌ଡାଉନ୍‌’

ଭୁବନେଶ୍ୱର, ୨୧।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ। ଏହି ଜିଲାଗୁଡିକର ସମସ୍ତ ସହର ଓ ଗାଁ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ରହିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌, ଯାଜପୁର ଟାଉନ୍‌ ଆଦି ସହରକୁ ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୨୨ ତାରିଖ ସକାଳ ୭ଟାରୁ ଏହି ଲକ୍‌ ଡାଉନ୍‌ ଆରମ୍ଭ ହୋଇ ୨୯ ରାତି ୯ଟାରେ ଯାଏ ରହିବ। ସମ୍ପୃକ୍ତ ଅଞ୍ଚଳରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ସେଗୁଡିକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଏୟାରପୋର୍ଟ, ରେଲଓ୍ବେ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଆଦି ଲକ୍‌ଡାଉନ୍‌ ମୁକ୍ତ ରହିବ। ପେଟ୍ରୋଲ ପମ୍ପ, ମେଡିସିନ ଦୋକନ ସମେତ ଅନ୍ୟ ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିବ। ସେହିଭଳି ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share