ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସର ୩ବର୍ଷ ପୂରିଲା: ଆରମ୍ଭ ହୋଇପାରିନି ଡାହୁକା ସେତୁ କାର୍ଯ୍ୟ

ନୟାଗଡ଼ ଅଫିସ,୧୩ା୧୨: ୧୩ ଡିସେମ୍ବର ୨୦୧୬। ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଟିଏସ୍‌ ପଡ଼ିଆଠାରେ ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ଡାହୁକା ସେତୁର ଶିଳାନ୍ୟାସ କରିଥିଲେ। ଗୁରୁବାର ଶିଳାନ୍ୟାସକୁ ୩ବର୍ଷ ପୂରିଛି। ହେଲେ ୩ ପିଲାରରେ ସୀମିତ ରହିଛି ସେତୁ କାର୍ଯ୍ୟ। ଫଳରେ ସେତୁ ନିର୍ମାଣ ଶେଷହେବା ନେଇ ଲୋକେ ଆଶା ଆଶଙ୍କାରେ ରହିଛନ୍ତି।
ପ୍ରକାଶ ଯେ, ଉକ୍ତ ରାସ୍ତାରେ ଦୀର୍ଘବର୍ଷ ହେଲା ଏକ ଛୋଟ ସେତୁ ଥିବାବେଳେ ଯାନାବାହନ ଯାତାୟାତ ବେଳେ ଅସୁବିଧା ଦେଖାଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ସେତୁ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଯୋଜନା ହୋଇଥିଲା। ଏଥିପାଇଁ ୮ କୋଟି ୬୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୦୧୬ରେ ସେତୁ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ଏହାର କିଛିମାସ ପରେ ସେଠାରେ ସେତୁକାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକେ ଭାବିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବାରୁ ଶୀଘ୍ର କାମ ସରିବ ଓ ଯାତାୟାତରେ ସୁବିଧା ହେବ। ହେଲେ ସେଭଳି କିଛି ଦେଖିବାକୁ ମିଳି ନାହିଁ। ଜମି ଅଧିଗ୍ରହଣ ଯୋଗୁ ସେତୁ କାର୍ଯ୍ୟ ଆଗେଇପାରୁ ନ ଥିବା ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ସେତୁ ନିର୍ମାଣ ଲାଗି ୩ଟି ପିଲାର ଉଠିଥିବା ବେଳେ ଅଧିକ ପିଲାର ଓ ଅନ୍ୟ କାର୍ଯ୍ୟ ହେବାକୁ ଥିବା ବେଳେ ସେଥିପାଇଁ ଜାଗା ନାହିଁ। ପାଖରେ ଥିବା ଘରୋଇ ଜମିକୁ କିଣାଯାଇ ସେତୁ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଜମି ଅଧିଗ୍ରହଣ ଯୋଗୁ ସେତୁ କାର୍ଯ୍ୟ ହୋଇପାରୁ ନ ଥିଲା। ଏବେ ସମସ୍ତ କାମ ସରି ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ଘରୋଇ ଜାଗା କିଣାଯାଇ ସେତୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ।