ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାରେ ପ୍ରଥମ: ଓଡ଼ଗାଁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ କୃଷି ମନ୍ତ୍ରୀ

ଓଡଗାଁ, ୨୪।୧୦(ସ୍ବ.ପ୍ର.)-ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଭୁବନେଶ୍ୱରରୁ ନୟାଗଡ଼ ଟ୍ରେନରେ ଆସିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଘଟଣାର ଦିନଟିଏ ନ ପୁରୁଣୁ ଗୁରୁବାର ଓଡଗାଁ ଆହାର କେନ୍ଦ୍ରରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଜିଲ୍ଲା ଗସ୍ତରେ ଆହାର କେନ୍ଦ୍ରରେ ଆହାର ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସମ୍ଭବତଃ ମନ୍ତ୍ରୀ ସାହୁ ଆହାର କେନ୍ଦ୍ରରେ ଆହାର ଖାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାରେ ପ୍ରଥମ ହୋଇଛନ୍ତି ବୋଲି କୁହାଯାଉଛି। ଏହା ସହିତ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣାଣି ଶିବିର କରି ଅନ୍ୟ ଏକ ମାଇଲେଜ୍‌ ନେଇଥିବା ଆଲୋଚନା ହେଉଛି ।

Share