ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଏହି ସମୟରେ ବୟସ୍କଙ୍କ ଯତ୍ନ ନିଅନ୍ତୁ : ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଚେତନତା ନେଇ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ଏ ନେଇ ସୂଚନା ଦେଇ କହିଛନ୍ତି, ୨୦୧୧ର ଜନଗଣନାନୁଯାୟୀ ରାଜ୍ୟରେ ବୟଙ୍କେ ସଂଖ୍ୟା ମୋଟ ଜନସଂଖ୍ୟାର ୧୦% ଅର୍ଥାତ ୬୦ ବର୍ଷରୁ ଊଦ୍ଧ୍ୱର୍ର୍ ୪୨ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦-୭୦ ବର୍ଷ ମଧ୍ୟରେ ୬%, ୭୦-୭୯ବର୍ଷ ମଧ୍ୟରେ ୩%, ୮୦ରୁ ଊର୍ଦ୍ଧ ୧% ଅଛନ୍ତି। ବୟସ୍କଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ମଧୁମେହ, ହୃଦ୍‌ରୋଗ, କ୍ୟାନ୍‌ସର ଆଦି ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କ ସହ ବୟସ୍କମାନଙ୍କ ସୁରକ୍ଷାକୁ ବିଶେଷଭାବେ ଧ୍ୟାନ ଦେବାକୁ ପଡ଼ିବ। ପରିବାରଲୋକେ ଏହାକୁ ଅଣଦେଖା କରନ୍ତୁ ନାହିଁ। ସେମାନଙ୍କ ନିଃସଙ୍ଗତାକୁ ଦୂର କରିବା ଲାଗି ସମ୍ବେଦନଶୀଳ ହୁଅନ୍ତୁ। ସ୍ନେହ ନେବା ସହ ଯତ୍ନ ନିଅନ୍ତୁ। ସେମାନଙ୍କ ସହ ଯଥାସମ୍ଭବ ସମୟ ଅତିବାହିତ କରନ୍ତୁ। ବାରମ୍ବାର ତାଙ୍କ ସହ କରୋନା ବିଷୟରେ କଥା ହୋଇ ଅଯଥା ସ୍ଥିତିକୁ ଅସ୍ତବ୍ୟସ୍ତ କରନ୍ତୁ ନାହିଁ। ଯଦି ପାରୁଛନ୍ତି ତେବେ ତାଙ୍କ ମନ ପସନ୍ଦର ବହି ଦିଅନ୍ତୁ। ନଚେତ ସୋସିଆଲ ମିଡିଆରେ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରାଇ ଦିଅନ୍ତୁ। ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ ବଜାୟ ରଖନ୍ତୁ। ଏସବୁ ମଧ୍ୟରେ ତାଙ୍କ ସହ ଗାଇଡ୍‌ଲାଇନ୍‌ ଅନୁଯାୟୀ ସାମାଜିକ ଦୂରତ୍ୱକୁ ବଜାୟ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି।

Share