Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ୍‌,୧୫।୯:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଏକ ପୋଷା କୁକୁରର ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ପୋଲିସ କୁକୁରକୁ ଚିକିତ୍ସା କରୁଥିବା ପଶୁ ଚିକିତ୍ସକଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ୧୧ ମାସର ପୋଷା କୁକୁର ହସ୍କିର ସ୍ବାସ୍ଥ୍ୟ ବୁଧବାର ହଠାତ୍‌ ଖରାପ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ନିବାସର କର୍ମଚାରୀମାନେ କୁକୁରକୁ ପଶୁ କ୍ଲିନିକ୍‌କୁ ନେଇଥିଲେ। ସେଠାରେ ଡାକ୍ତର ରଞ୍ଜିତ୍‌ କୁକୁରର ଚିକିତ୍ସା କରିବା ପୂର୍ବରୁ ତାକୁ ୧୦୧ ଡିଗ୍ରୀ ଜ୍ୱର ହୋଇଥିବା କହିଥିଲେ। କୁକୁରକୁ ଔଷଧ ମଧ୍ୟ ସେ ଦେଇଥିଲେ। କିନ୍ତୁ କିଛି ସମୟ ପରେ ହସ୍କିର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ କୁକୁରର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନିବାସ ପକ୍ଷରୁ ସମ୍ପୃକ୍ତ ଡାକ୍ତରଙ୍କ ନାଁରେ ଆଇପିସି ଧାରା ୪୨୯ ଏବଂ ୧୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବିପକ୍ଷ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିବା ସହ ଲୋକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟୁଥିବାବେଳେ ରାଜ୍ୟ ସରକାର ଏକ ପୋଷା କୁକୁର ମୃତ୍ୟୁରେ ମାମଲା ରୁଜୁ କରୁଛନ୍ତି, ଯାହାକି ହାସ୍ୟାସ୍ପଦ। ସୂଚନାଯୋଗ୍ୟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିବାସରେ ୯ଟି ପୋଷା କୁକୁର ଅଛି।

Share