Advertisement

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିକଶିତ ହେବ ସତ୍ୟବାଦୀ ବନବିଦ୍ୟାଳୟ

ସାକ୍ଷୀଗୋପାଳ,୭।୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲାର ସତ୍ୟବାଦୀ ଐତିହାସିକ ବକୁଳବନ ସ୍ଥିତ ବନବିଦ୍ୟାଳୟର ହଜିଲା ସ୍ମୃତି ପୁଣି ଉଜ୍ଜିବୀତ ହେବ। ଛାତ୍ରୀଛାତ୍ର ଓ ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ ଆକର୍ଷଣୀୟ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ ତତ୍ପର ହୋଇଛି। ବିଭାଗୀୟ ସଚିବ ସାଳୀନ ପଣ୍ଡିତ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ବୈଠକରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଓ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହିତ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଉପସ୍ଥିତ ରହିଥିଲେ। ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ୧୪ ତାରିଖ ହେବାକୁ ଥିବା ୩ ଦିନିଆ ସତ୍ୟବାଦୀ ମହୋତ୍ସବ ଅବସରରେ ସରକାର ଏହାର ରୁପରେଖ, ବ୍ୟୟ ଅଟକଳ ଘୋଷଣା କରିବେ ବୋଲି ବିଧାୟକ ଓମ ପ୍ରକାଶ କହିଛନ୍ତି।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକସେବା ଭବନଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକୁଳବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନଃରୁଦ୍ଧାର ଓ ବିକାଶ ସଂପର୍କିତ ଏକ ବୈଠକରେ ଯୋଗଦେଲି।

ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ସତ୍ୟବାଦୀର ବକୁଳବନ ୧୯୦୯ ମସିହାରେ ପଞ୍ଚସଖାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଆଜି ମଧ୍ୟ ଏକ ଐତିହ୍ୟସଂପନ୍ନ ଶିକ୍ଷାନୁଷ୍ଠାନ ଭାବେ ଏହାର ସ୍ବତନ୍ତ୍ରତା ରହିଛି।
ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛି।
ଏହି ବିଦ୍ୟାଳୟର ଆଦର୍ଶ ଓ ଆଭିମୁଖ୍ୟ ବିଷୟରେ ବର୍ତ୍ତମାନର ପିଢ଼ିଙ୍କୁ ଅବଗତ କରାଇବା ପାଇଁ ଏହାର ମୂଳ ଢାଞ୍ଚା ଅନୁରୂପ ବିକାଶ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି।
ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏହି ସ୍ଥାନ ପରିଦର୍ଶନ କରି ଏହାର ଐତିହ୍ୟ ସଂପର୍କରେ ଜ୍ଞାନ ଅର୍ଜନ କରିପାରିବେ ଏବଂ ଏହା ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକୃଷ୍ଟ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share