ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସୂତ୍ରରୁ ସହାୟତା ମିଳିବାରେ ଲାଗିଛି। ସେହିଭଳି ରିଲିଫ ପାଣ୍ଠିକୁ କେଉଁ ମାନେ କେତେ ଟଙ୍କା ପ୍ରଦାନ କରୁଛନ୍ତି ତାହା ମଧ୍ୟ ସାର୍ବଜନୀନ କରାଯାଇଛି। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ ଲାଇନ ଦ୍ୱାରା ମିଳିଥିବା ସହାୟତା ରାଶିର ପରିମାଣ ଏବଂ ଦେଇଥିବା ସଂସ୍ଥା, ବ୍ୟକ୍ତିବିଶେଷଙ୍କ ନାମ ଉଲ୍ଲେଖ ରହିଛି। ଏହି କ୍ରମରେ ପୁରୀ ଏମ୍‌ପି ପିନାକୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅନୁରୂପଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ତାଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌-୧୯ ଫଣ୍ଡକୁ ଦାନ କରିଛନ୍ତି ା ମନ୍ତ୍ରୀ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରିଥିବାବେଳେ, ତାଙ୍କ ସହଧର୍ମିଣୀ ରଞ୍ଜିତା ସୋରେନ୍‌ ମଧ୍ୟ ୫୦ ହଜାର ଟଙ୍କା ଦେଇଛନ୍ତି ା ଅନୁରୂପଭାବେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ମଧ୍ୟ ନିଜର ଏକ ମାସର ଦରମା ୩୮,୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏହା ପୂର୍ବରୁ ବିଜୟ ନାୟକ ଫନୀ ସହାୟତା ବାବଦକୁ ୯୮,୦୦୦ ଟଙ୍କା ଦାନ କରିଥିଲେ।

Share