ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ଓଡ଼ିଶାରେ ସରକାର ଚଳାଉଛନ୍ତି: କହ୍ନେୟା କୁମାର

ନବରଙ୍ଗପୁର/କେସିଙ୍ଗା,୨୮।୧୨(ବି.ପ୍ର./ଡି.ଏନ.ଏ.): ଓଡିଶାରେ ଜନ ପ୍ରତିନିଧି ସରକାର ଚଲାଉ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ସରକାର ଚଲାଉଛନ୍ତି। ଜାତୀୟ କଂଗ୍ରେସର ଶହେବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ନୂଆଁ ମଣ୍ଡେଇ ପଡିଆଠାରେ ସୋମବାର ଅନୁଷ୍ଠିତ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ନେତା କହ୍ନେୟା କୁମାର ଏହା କହିଛନ୍ତି। ଏହି ସମାବେଶରେ ସମ୍ମାନିତ ଅତିଥି ଭାବେ ଗୁଜରାଟ ଭେଦଗାଓ ବିଧାୟକ ଜିଗ୍ନେଶ ମିଭାନୀ, ଛତିଶଗଡ ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସଦନ ନାୟକ,ଭୁଜବଳ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଜିଲା ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ଦଳକୁ କିପରି ଦୃଢ କରାଯିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
କହ୍ନେୟା କହିଥିଲେ,କଂଗ୍ରେସ ହିଁ ଏକ ମାତ୍ର ଦଳ, ଯିଏ ଲୋକଙ୍କ ହିତ ପାଇଁ କାମ କରୁଛି। ମମିତାଙ୍କୁ ନ୍ୟାୟ ଲାଗି ସ୍ବର ଉତ୍ତୋଳନ କରି ମନ୍ତ୍ରୀଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ‘ମନ୍‌କି ବାତ୍‌’ରେ ପ୍ରଧାନମନ୍ତ୍ରୀ ଦେଶର ଜନତାଙ୍କ କଥା କହୁ ନାହାନ୍ତି। ଓଡିଶାରେ ଭାଜପାର ଡି ଟିମ୍‌ ବିଜେଡି ବୋଲି କହି କହ୍ନେୟା ଉପହାସ କରିଥିଲେ। ଏବେ ସମ୍ବିଧାନ ଓ ଲୋକତନ୍ତ୍ର ବିପଦରେ ବୋଲି ବିଧାୟକ ଜିଗ୍ନେଶ ମିଭାନୀ କହିଥିଲେ। ଓଡିଶାରେ ଶାସନ ପ୍ରଶାସନିକ ଅଧିକାରୀମାନେ କରୁଛନ୍ତି ବୋଲି ଛତିଶଗଡର ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା କହିଥିଲେ। କାର୍ଯ୍ୟକ୍ରମରେ ବିଜେଡି ଦଳ ଓ ବିଭିନ୍ନ ସଂଗଠନର ସମର୍ଥକ ଭାବେ କଂଗ୍ରେସରେ ମିଶିଥିଲେ। ସମାବେଶରେ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସେହିପରି କଳାହାଣ୍ଡି ଜିଲା କେସିଙ୍ଗା ସହର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂକଳ୍ପ ଦିବସ ଉପଲକ୍ଷେ ଆୟୋଜିତ ସମାବେଶରେ କହ୍ନେୟା କୁମାର, ବିଧାୟକ ଜିଗ୍ନେଶ ମିଭାନୀ ଓ ଛତିଶଗଡ଼ ଅବକାରୀ ମନ୍ତ୍ରୀ କାବାସୀ ଲକ୍ଷ୍ମା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ମମିତା ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ପୁଣି ବର୍ଷିବା ସହ ଏହି କାର୍ଯ୍ୟକ୍ରମକୁ ବିଭ୍ରାଟ କରିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ କରିଥିଲେ। ସମାବେଶରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।

Share