ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ

ପୁରୀ ଅଫିସ,୨୮।୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅପରାହ୍ନ ସାଢ଼େ ୫ଟାରେ ନବୀନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ଜିଲାର ନବ ନିର୍ବାଚିତ ବିଜେଡି ବିଧାୟକମାନେ ସାମିଲ ଥିଲେ।

ପ୍ରକାଶଯୋଗ୍ୟ, ବୁଧବାର ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଉଛି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷକ ସଂଗଠନ, ମହିଳା ସ୍ବୟଂସହାୟକ ସଂସ୍ଥା, କୃଷକ ସଂଗଠନଗୁଡ଼ିକୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି।

Share