ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦିନକର ଦରମା ଦେଲେ ଶିକ୍ଷା ବିଭାଗ କର୍ମଚାରୀ

ନୂଆପଡା ଅଫିସ, ୨୧।୪-କୋଭିଡ-୧୯କୁ ମୁକାବିଲା କରିବାକୁ ନୂଆପଡା ଜିଲା ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ସମସ୍ତ ଶିକ୍ଷକ, କର୍ମଚାରୀ ଏବଂ ଅଧିକାରୀ ଆଗକୁ ଆସିଛନ୍ତି। ସେମାନେ ନିଜର ଦିନକର ଦରମା ବାବଦକୁ ୪୯ଲକ୍ଷ ୧୬ହଜାର ୩୫୧ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଏହି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ଜିଲାର ସମସ୍ତ ୫ଟି ଯାକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଅଭିଯାନ, ପ୍ରାଥମିକ, ଉଚ୍ଚ ମାଧ୍ୟମିକ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ସ୍ବଇଚ୍ଛାରେ ଦିନକର ଦରମା ଦାନ କରିଛନ୍ତି।