Categories: ଅନୁଗୋଳ

ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସକ୍ରିୟ: ରୋଗୀଙ୍କଠାରୁ ନେଇଗଲେ ୪ ହଜାର

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜରପଡ଼ା ଥାନା କତଡ଼ା ଗ୍ରାମର ଖଗେଶ୍ୱର ପ୍ରଧାନଙ୍କୁ ତାଙ୍କ ସ୍ତ୍ରୀ ସୁଲୋଚନା ପ୍ରଧାନ ପୁରୁଷ ଓ୍ବାର୍ଡରେ ଭର୍ତ୍ତି କରିଛନ୍ତି। ସୋମବାର ଖଗେଶ୍ୱରଙ୍କ ଛାତି ଏକ୍ସ-ରେ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମଙ୍ଗଳବାର ଦମ୍ପତି କାଜୁଆଲଟି ପାଖରେ ଥିବା ଏକ୍ସ-ରେ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କାଜୁଆଲଟି ସମ୍ମୁଖରେ ଛିଡ଼ା ହୋଇଥିବା ଦଲାଲ ଜଣଙ୍କ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ ଦ୍ୱାରା ୩୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିବ ବୋଲି କହିଥିଲେ। ଏପରିକି ବୃଦ୍ଧାଙ୍କୁ ନେଇ ଡାକ୍ତରଖାନାର ବୀମା ଅଫିସକୁ ଯାଇଥିଲେ। ୫ ଶହ ଟଙ୍କା କାଗଜପତ୍ର ବାବଦକୁ ବୃଦ୍ଧାଙ୍କ ଠାରୁ ନେବା ପରେ ପୁଣି ସାଢ଼େ ୩ହଜାର ଟଙ୍କା ନେଇ ଆଉ ଫେରି ନ ଥିଲେ। ବୃଦ୍ଧା ଜଣଙ୍କ ଅପେକ୍ଷା କରି ଶେଷରେ ସନ୍ଧ୍ୟାରେ ମେଡିକାଲକୁ ଫେରି ସ୍ବାମୀଙ୍କ ଆଗରେ ଠକେଇ ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।