Categories: ଖେଳ

ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମଙ୍କ ଇସ୍ତଫା

କରାଚୀ,୧୮।୭(ପି.ଟି.)- ପାକିସ୍ତାନ ମୁଖ୍ୟ ଚୟନକର୍ତ୍ତା ପଦରୁ ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍‌ ବୁଧବାର ଇସ୍ତଫା ଦେଇଛନ୍ତି। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବାକୁ ସେ ରାଜି ବୋଲି ସେ ସ୍ପଷ୍ଟ କରିଛନ୍ତି। ଜୁଳାଇ ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ପଦରେ ଅଧିକ ଦିନ ରହିବାକୁ ଇଞ୍ଜାମାମ ଅନୁଚ୍ଛୁକ ବୋଲି ପୂର୍ବରୁ କହିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ୩ ବର୍ଷ କାର୍ଯ୍ୟ କରିବା ପରେ ମୁଁ ଚୁକ୍ତିର ନବୀକରଣ ଚାହୁଁନାହିଁ ବୋଲି ସେ କହିଛନ୍ତି।
ଆସନ୍ତା ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ ଖେଳାଯିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତାବର୍ଷ ଟି୨୦ ବିଶ୍ୱକପ୍‌ ମଧ୍ୟ ଆୟୋଜନ ହେବ। ସେହିପରି ୨୦୨୩ରେ ଭାରତରେ ପରବର୍ତ୍ତୀ ଦିନିକିଆ ବିଶ୍ୱକପ୍‌ ମଧ୍ୟ ଆୟୋଜନ ହେବ। ତେଣୁ ଏଭଳି ପରିସ୍ଥିତିରେ ପିସିବି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତି ଦେବାର ଠିକଣା ସମୟ ଉପନୀତ ହୋଇଛି। ଏ ସଂକ୍ରାନ୍ତିରେ ପିସିବି ଅଧ୍ୟକ୍ଷ ଏହସାନ ମାନି ଓ ମ୍ୟାନେଜିଂ ଡାଇରେକ୍ଟର ଓ୍ବାସିମ ଖାଁଙ୍କୁ ପୃଥକ ପୃଥକ ଭାବେ ଅବଗତ କରାଇଛି ବୋଲି ବୋଲି ସେ କହିଛନ୍ତି। ଏଥିସହିତ ସେ ଏମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ୨୦୧୬ରେ ନିଯୁକ୍ତ ହୋଇଥିବା ଚୟନ କମିଟିରେ ଇଞ୍ଜାମାମଙ୍କ ସମେତ ଓ୍ବାସିମ ହାଇଦର, ତୌସିଫ୍‌ ଅହମ୍ମଦ ଓ ଓ୍ବାଜାହାତୁଲ୍ଲା ଓ୍ବାସି ସ୍ଥାନ ପାଇଥିଲେ। ସଦ୍ୟସମାପ୍ତ ବିଶ୍ୱକପ୍‌ରେ ପାକିସ୍ତାନ ସେମିକୁ ଉଠିବାରେ ବିଫଳ ହେବା ପରେ ଇଞ୍ଜାମାମଙ୍କ ସମେତ ଚୟନ କମିଟି ସମାଲୋଚନାର ଶିକାର ହୋଇଥିଲେ। ଇଞ୍ଜାମାମ ତାଙ୍କ କ୍ୟାରିୟରରେ ୧୨୦ଟି ଟେଷ୍ଟ, ୩୭୮ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି।

Share