Categories: ଗଞ୍ଜାମ

ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଦୁଇଟି କାଉଣ୍ଟର ମଧ୍ୟରୁ ଗୋଟିଏ କାଉଣ୍ଟର ବନ୍ଦ କରି ଦିଆଯାଇଛି। ଜଣେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ପଦ ଉଚ୍ଛେଦ କରାଯାଇଛି। ଫଳରେ ବରିଷ୍ଠ ନାଗରିକ ଓ ମହିଳା ଗ୍ରାହକମାନେ ହଇରାଣ ହେଉଥିବା ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଅଭିଯୋଗ ହୋଇଛି । ପୂର୍ବ ସ୍ଥିତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଞ୍ଚ ଦାବି କରିଛି ।   ମଞ୍ଚ ପକ୍ଷରୁ କୁହାଯାଇଛି ମୁଖ୍ୟ ଡ଼ାକଘର ସହରର କେନ୍ଦ୍ରସ୍ଥଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବାରୁ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଜମୁଛି । ଡାକ ସେବା ପାଇଁ ମାତ୍ର ଗୋଟିଏ କାଉଣ୍ଟର ଓ ଜଣେ ସହକାରୀ ପୋଷ୍ଟମାଷ୍ଟର ଅଛନ୍ତି ।

ସେହି କାଉଣ୍ଟରରେ ଗ୍ରାହକମାନେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବହୁବାର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ସମସ୍ୟାର ସମାଧାନ ପ୍ରତି ଆଖି ବୁଜି ଦିଆଯାଇଛି । ଅପରପକ୍ଷରେ ଚିଠି ପତ୍ର ଲେଖିବା ଓ ଅନ୍ୟ କାର୍ଯ୍ୟପାଇଁ ସେଠାରେ ସ୍ବତନ୍ତ୍ର ଭାବେ ଡେସ୍କ ନ ଥିବା ଆଉ ଏକ ସମସ୍ୟା ହୋଇଛି ।   ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ଓ ମଞ୍ଚର ଅନ୍ୟ କର୍ମକର୍ତ୍ତାମାନେ କହିଛନ୍ତି ମହିଳା ଗ୍ରାହକ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମୁଖ୍ୟ ଡ଼ାକଘର ପରିସରରେ ସ୍ବତନ୍ତ୍ର ସୁବିଧା ଯୋଗାଇବାର ମୁଖ୍ୟ ଡ଼ାକପାଳ (ଚିଫ ପୋଷ୍ଟମାଷ୍ଟର ଜେନେରାଲ) ଦେଇଥିବା ପ୍ରତିଶ୍ରୁତି ଦୀର୍ଘଦିନ ପରେ ବି କାର୍ଯ୍ୟକାରୀ ହୋଇନାହିଁ । ସମସ୍ୟା ସମାଧାନରେ ଅଧିକ ବିଳମ୍ବ ହେଲେ ବରିଷ୍ଠ ନାଗରିକଙ୍କୁ ମେଳି କରି ମଞ୍ଚ ଆନ୍ଦୋଳନକୁ ଓହ୍ଲାଇ ବୋଲି ଚେତାବନୀ ଦିଆଯାଇଛି।