ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଏନ୍‌ଏସିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁ ନ ଥିବାରୁ ସହର ମୁଖ୍ୟରାସ୍ତା କଡ଼ ଡମ୍ପିଂୟାର୍ଡ’ପାଲଟିଛି। ଗଞ୍ଜାମ ଏନ୍‌ଏସି ଓ ତହସିଲ ଅଧୀନରେ ରହିଛି ହେକ୍ଟର ହେକ୍ଟର ସରକାରୀ ଜାଗା। ହେଲେ ସରକାରୀ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁନି। ବର୍ତ୍ତମାନ ସହର ମୁଖ୍ୟ ପ୍ରବେଶ ଦ୍ୱାର ଜୟଶ୍ରୀ ଛକଠାରେ ଏନ୍‌ଏସିର ୧୨ଟି ୱାର୍ଡର ଅଳିଆ ଆବର୍ଜନା ପକାଯାଉଛି। ଏଥିଯୋଗୁ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେବାସହ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ନାକ ଟେକୁଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଓ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାଇଁଚପୁର ଠାରେ ଡ଼ମ୍ପିଂୟାର୍ଡ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଏଯାଏ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନି ଏନ୍‌ଏସି ପ୍ରଶାସନ। ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ପଚାରିବାରୁ ଜାଗା ଚିହ୍ନଟ ହୋଇଛି, ଖୁବ୍‌ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି କହିଥିଲେ।

Share