Categories: ଜାତୀୟ

ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡ଼ିତାଙ୍କ ମୃତ୍ୟୁ

ପାଟନା,୧୭।୧୨: ବିହାର ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡିତାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପାଟନା ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକେ ଓ ଉତ୍ତ୍ୟକ୍ତ ଗ୍ରାମବାସୀ ପାଟନା ପୁରୁଣା ବାଇପାସରେ ରାସ୍ତାରୋକ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ପରିବାର ଲୋକେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନ ଆସିବେ ସେପର୍ଯ୍ୟନ୍ତ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୭ରେ ମୁଜଫରପୁରର ଅହିଆପୁରର ଜଣେ ଯୁବକ ଉକ୍ତ ଛାତ୍ରୀଙ୍କ ଘରେ ପଶି ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ପୀଡିତାଜଣଙ୍କ ତାଙ୍କୁ ବିରୋଧ କରିବାରୁ ଯୁବକ ଜଣଙ୍କ ତାଙ୍କ ଉପରେ କିରାସିନ ଢ଼ାଳି ନିଆଁ ଲଗାଇଦେଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ନିଜେ ଅଭିଯୁକ୍ତ ତାଙ୍କୁ ମୁଜଫରପୁରର ଏକ ହସ୍ପିଟାଲରେ ଭର୍ତ୍ତି କରି ସେଠାରୁ ଫେରାର ହୋଇଯାଇଥିଲେ। ତେବେ ପୀଡିତାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡିସେମ୍ବର ୧୦ରେ ତାଙ୍କୁ ପାଟନା ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନିଜକୁ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

Share