ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା, ୪ଗିରଫ

ବାଲିଗୁଡା,୨୪ା୩- ବାଲିଗୁଡା ଥାନା ସିନ୍ଦ୍ରିଗଁା ଖଡ୍‌ଗନଦୀ ପାଖ ଏକ ଗାଡିଆରୁ ପୋଲିସ ଅଖା ଭିତରେ ପଶିଥିବା ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା। ମୃତକ କିଲୁପଡାର ଯୁଧିଷ୍ଠିର ମଳିକ ବୋଲି ତାଙ୍କ ସ୍ତ୍ରୀ ଚିହ୍ନଟ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଥାନା ପରିସରରେ ବାଲିଗୁଡା ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଗିରଫମାନେ ହେଲେ କିଲୁପଡାର ନବ କିଶୋର ମଳିକ, ଜାକରା ଦିଗାଳ, ପାଦ୍ରିପଡାର ମଣ୍ଟୁ ଦିଗାଳ ଓ ସୁବାସ ଦିଗାଳ।
ସୂଚନା ଅନୁଯାୟୀ, ଗତ ୨୮ ଫେବୃୟାରୀ ୨୦୨୦ରେ କ.ନୂଆଗଁା ଥାନା କିଲୁପଡାର ସଲାକେତା ଗ୍ରାମରେ ପୋଢଯାତ୍ରା ହେବା ଦିନଠାରୁ ଯୁଧିଷ୍ଠିର ନିଖୋଜ ଥିଲେ। ପୋଖରିରେ ମୃତଦେହ ଭାସୁଥିବା ଖବର ପାଇ ପୋଲିସ ଉଦ୍ଧାର କରିବା ପରେ ନଂ.୪୦/୨୦ରେ ମାମଲା ରୁଜୁ କରିଥିଲା। ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଯୁଧିଷ୍ଠିର ଗୁଣିଗାରେଡି କରୁଥିବା ସନ୍ଦେହ କରି ଗ୍ରାମର କେତେଜଣ ରାଗ ରଖିଥିଲେ। ତଦନ୍ତ କରିବା ପରେ ନବ, ଜାକରା, ମଣ୍ଟୁ ଓ ସୁବାସଙ୍କୁ ଆଣି ପଚରାଉଚରା ପରେ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଗତ ୨୮ରେ ୪ଜଣ ମିଶି ଯୁଧିଷ୍ଠିରଙ୍କୁ ହତ୍ୟା କରିଥିଲେ। ମୁଣ୍ଡକୁ ଅଲଗା କରି ଗଣ୍ଡିକୁ ଅଖାରେ ଭରି ଅଟୋ ଯୋଗେ ନେଇ ଉକ୍ତ ଗଡିଆରେ ପଥର ବାନ୍ଧି ଫୋପାଡି ଦେଇଥିଲେ। ତଦନ୍ତପରେ ବାଲିଗୁଡା ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ଅଟୋ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Share