Categories: ଭଦ୍ରକ

ମୁଣ୍ଡ ଉପରେ ଝୁଲୁଛି ବିପଦ

ବନ୍ତ, ୧୯।୧୦ (ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ପୋଡ଼ାପାଟଣା ଗ୍ରାମ ଯେନାସାହି ନିକଟରେ ଦୀର୍ଘଦିନ ଧରି ବିଦ୍ୟୁତ୍‌ ତାର କମ୍‌ ଉଚ୍ଚରେ ଝୁଲି ରହିଛି। ମୁଣ୍ଡ ଉପରେ ବିପଦ ଝୁଲୁଥିବା ବେଳେ ସେହି ବାଟ ଦେଇ ଲୋକେ ଯିବାଆସିବା କରୁଥିବାରୁ ଯେକୌଣସି ମୁହୂର୍ତ୍ତରେ ଧନଜୀବନ ହାନି ଘଟିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି।
ପ୍ରକାଶ ଯେ, ସଖିପାଟଣା ଛକଠାରୁ ପୋଡ଼ାପାଟଣା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ପାର୍ଶ୍ୱରେ ଦୁଇବର୍ଷ ତଳେ ନେସ୍କୋ ପକ୍ଷରୁ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଯାଇଥିଲା। ଉକ୍ତ ଟ୍ରାନ୍ସଫର୍ମରରୁ କେବୁଲ ସାହାଯ୍ୟରେ ବିପିଏଲ୍‌ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଉକ୍ତ ସ୍ଥାନରେ ତାର ମୁଖ୍ୟ ରାସ୍ତାଠାରୁ ମାତ୍ର ୧୦ ଫୁଟ ଉଚ୍ଚତାରେ ଝୁଲି ରହିଥିବା ବେଳେ ଯେନାସାହି ନିକଟରେ ୫ ଫୁଟ ଉଚ୍ଚରେ ଏକ କଣ୍ଟାବାଡ଼ରେ ଝୁଲିରହିଥିବା ଦେଖିବାକୁ ମିଳିଛି। କେବୁଲର କଭର ନଷ୍ଟ ହୋଇଯାଇଥିବାରୁ ତାହା ବିପଦର କାରଣ ସାଜିଛି। ଏହା ସଂସ୍ପର୍ଶରେ ଆସି ନିକଟରେ ଥିବା ଏକ ବାଉଁଶ ବୁଦାର କେତେକାଂଶ ଜଳିଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି। ଏପରି କି ରାସ୍ତାେରେ ଯାତାୟାତ କରୁଥିବା ଲୋକ ଅଧିକାଂଶ ସମୟରେ ଏହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆହତ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ନେସ୍କୋ ବିଭାଗକୁ ବାରମ୍ବାର ଜଣାଇବା ପରେ ଆଜିକାଲି କହି ମରାମତିରେ ବିଳମ୍ବ କରାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରଶାସନ ଓ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ତାର ସଂସ୍ପର୍ଶରେ ଆସି ଧନଜୀବନ ନଷ୍ଟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପରେ ବୋଲି କୁହାଯାଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣିନାହାନ୍ତି, ସ୍ଥାନୀୟ ବିଦ୍ୟୁତ୍‌ କର୍ମଚାରୀଙ୍କଠାରୁ ବୁଝିବା ପରେ ମରାମତି କରାଯିବ ବୋଲି କହିଛନ୍ତି।