ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଧାମନଗର,୨୦।୩(ଡି.ଏନ.ଏ.)-ଗରିବ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଆବାସଠାରୁ ଆରମ୍ଭ କରି ରାଶନ ସବୁକିଛି ସେମାନଙ୍କୁ ଯୋଗାଇ ଦିଆଯାଉଛି। କିନ୍ତୁ ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗଁ। ଉଆସସାହିର ଦିବ୍ୟାଙ୍ଗ ଜୟନ୍ତ ଦାସ(୩୨)ଙ୍କ ପରିବାର ସରକାରଙ୍କ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି। ରହିବାକୁ ଭଲ ଘର ଖଣ୍ଡେ ନାହିଁ। ପଲିଥିନ ତଳେ ଏହି ପରିବାର ମୁଣ୍ଡ ଗୁଞ୍ଜୁଛନ୍ତି। ସେହିପରି ରାଶନ କାର୍ଡ ନ ଥିବାରୁ ପିଡିଏସ୍‌ ସାମଗ୍ରୀ ପାଇପାରୁ ନାହାନ୍ତି। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିପାରି ନ ଥିବା ଅଭିଯୋଗ ହେଉଛି।
ଜୟନ୍ତ ଜନ୍ମରୁ ଦୃଷ୍ଟିହୀନ। ତାଙ୍କ ବାପା ଗୋବର୍ଦ୍ଧନ ଓ ଭଉଣୀ ଉଷାରାଣୀ ମଧ୍ୟ ଦୃଷ୍ଟିହୀନ ଥିଲେ। ସେମାନଙ୍କର ଦେହାନ୍ତ ହୋଇଯାଇଛି। ଏବେ ଘରେ ମା’, ସ୍ତ୍ରୀ ଓ ଦୁଇଝିଅଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ସ୍ତ୍ରୀ କୁନିରାଣୀ ମଧ୍ୟ ଦୃଷ୍ଟିବାଧିତ। ଏପରି ସ୍ଥିତିରେ ଜୟନ୍ତ ପର ଘରେ ମୂଲ ଲାଗିଲେ ପରିବାର ଚଳେ। ଘରର ଆର୍ଥତ୍କ ଅବସ୍ଥା ଶୋଚନୀୟ। ତାଙ୍କ ବାପାଙ୍କ ନାମରେ ଥିବା ରାଶନ କାର୍ଡରେ ଜୟନ୍ତଙ୍କ ନାମ ଥିବାରୁ ସେହି ଅନୁଯାୟୀ ରାଶନ ସାମଗ୍ରୀ ମିଳୁଛି। କିନ୍ତୁ ତାଙ୍କ ପରିବାର ତଥା ସ୍ତ୍ରୀ ଓ ଦୁଇଝିଅଙ୍କ ନଁ।ରେ କାର୍ଡ ହୋଇ ନ ଥିବାରୁ ଆବଶ୍ୟକ ଅନୁସାରେ ସେମାନେ ଖାଉଟି ସାମଗ୍ରୀ ପାଇପାରୁ ନାହାନ୍ତି। ଆବାସ ପାଇବା ଲାଗି ଯୋଗ୍ୟ ହୋଇଥିଲେ ମଧ୍ୟ ଜୟନ୍ତଙ୍କୁ ଘର ଖଣ୍ଡଏ ମିଳିପାରି ନାହିଁ। ବାଉଁଶ ବାନ୍ଧି ତା ଉପରେ ପଲିଥିନ ପକାଇ ପରିବାର ବହୁ କଷ୍ଟରେ ସେଥିରେ ରହୁଛନ୍ତି। ତାଙ୍କୁ ପକ୍କାଗୃହ ଯୋଗାଇ ଦେବାକୁ ସେ ବିଭିନ୍ନ ସମୟରେ ଆବେଦନ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କଠାରୁ ରାଜନେତାମାନେ କେବଳ ପ୍ରତିଶ୍ରୁତି ଦେଇଛନ୍ତି। ଏଯାଏ ତାଙ୍କୁ କୌଣସି ସହାୟତା ମିଳି ନ ଥିବା ଜୟନ୍ତ ପ୍ରକାଶ କରିଛନ୍ତି। ରାଶନ କାର୍ଡ ଓ ପକ୍କାଘର ଖଣ୍ଡିଏ ପାଇଁ ସେ ଚାତକ ପରି ଚାହିଁ ବସିଥିବା କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ପଚାରିବାରୁ କହିଛନ୍ତି, ଆବାସ ଯୋଜନାରେ ଜୟନ୍ତଙ୍କ ନାମ ସାମିଲ କରାଯାଇଥିଲେ ମଧ୍ୟ ତ୍ରୁଟି ଯୋଗୁ ସେ ଘର ପାଇପାରି ନାହାନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗୃହ ଯୋଗାଇ ଦିଆଯିବ। ପର୍ଯ୍ୟାୟ କ୍ରମେ ତାଙ୍କୁ ରାଶନ କାର୍ଡ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।