ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରୁକୋଣ୍ଡା,୧୮।୮(ଡି.ଏନ୍‌.ଏ.): ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅଧିକାଂଶ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୩ ନଂ ପଞ୍ଚାୟତର ପୁରୁଣା ବାଲିମେଳା ଗ୍ରାମରେ। ଏହି ଗ୍ରାମରେ ଆଜକୁ ଦୀର୍ଘ ୩୦ ବର୍ଷ ହେବ ଇର୍ମା ପଡ଼ିଆମୀ ସପରିବାର ରହିଆସୁଛନ୍ତି। ଇର୍ମା ଗରିବ ଶ୍ରେଣୀର ହୋଇଥିବାରୁ ସେ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଛନ୍ତି। ଯେଉଁ ଦୁଇପଇସା ଆଣନ୍ତି ସେଥିରେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ସେ ଗ୍ରାମର ଶେଷ ଭାଗରେ ଏକ ପାହାଡ଼ ତଳେ ଛୋଟ କୁଡ଼ିଆ କରି ପରିବାର ସହ ଜୀବନ ବିତାଉଛନ୍ତି। ସ୍ତ୍ରୀ ରାମେ ପଡ଼ିଆମୀ(୨୭), ଝିଅ ପଦେ ପଡ଼ିଆମୀ(୧୩) ଓ ପୁଅ ରାଧେ ପଡ଼ିଆମୀ (୨)ଙ୍କୁ ନେଇ ତାଙ୍କ ପରିବାର। ଏତେ ବର୍ଷ ଧରି ସେଠାରେ ରହି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଇର୍ମାଙ୍କୁ ଏନେଇ ପଚାରିବାରୁ, ସେ ବାରମ୍ବାର ପଞ୍ଚାୟତ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି। ଚଳିତବର୍ଷ ଲଗାଣବର୍ଷାରେ ଇର୍ମାଙ୍କ ଘର ଭାଙ୍ଗି ଯାଇଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ପକ୍ଷରୁ ପାଲ ଖଣ୍ଡିଏ ମଧ୍ୟ ମିଳିନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି।