ମୁନିଗୁଡ଼ା ଅଞ୍ଚଳରେ ମାଓବାଦୀ ପୋଷ୍ଟର, ବ୍ୟାନର: ଲୋକେ ଭୟଭୀତ

ମୁନିଗୁଡା,୧୦।୧୧(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ବିଜାବଣ୍ଡଳି ଗ୍ରାମ ଛକ ନିକଟରେ ରବିବାର ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ବ୍ୟାନର ଓ ପୋଷ୍ଟରଟି ବଂଶଧାର ଘୁମୁସୁରା ନାଗାବଳି ଡିଭିଜନ କମିଟି ସିପିଆଇ(ମାଓବାଦୀ ) ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟରରେ କାଶ୍ମୀରବାସୀଙ୍କ ଉପରେ ଜୁଲୁମ ବନ୍ଦ କର, ଧାରା ୩୭୦ ଓ ୩୫(ଏ)ର ଉଚ୍ଛେଦକୁ ବିରୋଧ କରନ୍ତୁ, ପାର୍ବତୀ ପାଣ୍ଡ୍ରୁ ସରେଣ୍ଡର କରି ନାହିଁ ତାକୁ ରାୟଗଡା ଏସ୍‌ପି ପଞ୍ଚାୟତ ଖମାରି ଗାଁ ଡଙ୍ଗରରୁ ଗତ ୨୩ ତାରିଖ ରାତିରେ ଅପହରଣ କରିନେଇ ସରେଣ୍ଡର ଦେଖାଇଛନ୍ତି, ଏସ୍‌ପିଙ୍କ ଏପରି ଘୃଣ୍ୟକାର୍ଯ୍ୟକୁ ବିରୋଧ କରନ୍ତୁ, ଫାସିବାଦୀ ମୋଦି-ସଙ୍ଘ ପରିବାରର ଉଗ୍ରରାଷ୍ଟ୍ରବାଦ ଓ ଗେରୁଆ ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରନ୍ତୁ, କାଶ୍ମୀରବାସୀଙ୍କ ଆନ୍ଦୋଳନକୁ, ସମର୍ଥନ କରନ୍ତୁ, କାଶ୍ମୀରବାସୀ ଆତଙ୍କବାଦୀ ନୁହନ୍ତି ମୋଦି-ଅମିତ ଶାହା ବଡ଼ ଆତଙ୍କବାଦୀ, କାଶ୍ମୀର ବାସୀଙ୍କ ବିକାଶ ନୁହେଁ ବରଂ ତାଙ୍କର ଅସ୍ତିତ୍ୱକୁ ଲୋପ କରି ଜମିକୁ ବିଦେଶୀ କମ୍ପାନୀ ହାତରେ ଟେକି ଦେବା ପାଇଁ ଧାରା ୩୭୦ ଓ ୩୫(ଏ)କୁ ହଟାଯାଇଛି, ଏହି ଏକ ଛତ୍ରବାଦୀ ନିଷ୍ପତିକୁ ବିରୋଧ କର, ଭାରତୀୟ କିଣା ମିଡ଼ିଆ କାଶ୍ମିରବାସୀଙ୍କୁ ଗାଳି ଗୁଲଜ କରିବା ବନ୍ଦ କରନ୍ତୁ ବୋଲି ଉଲ୍ଲେଖ ଅଛି l ବିଜାବଣ୍ଡଳୀ ଛକରେ ଗୋଟିଏ ବ୍ୟାନର ଓ ୪ଟି ପୋଷ୍ଟର ଲାଗିଥିବା ଦେଖାଯାଇଛି। ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ଲାଗିବା ପରେ ଅଞ୍ଚଳର ଲୋକେ ଭୟଭୀତ ଅଛନ୍ତି ।

Share