ମୁମ୍ବାଇରୁ ୧୫୦୦ କିମି ଚାଲି ଚାଲି ଘରେ ପହଞ୍ଚିବା ପରେ ଦିନମଜୁରିଆଙ୍କ ମୃତ୍ୟୁ: କରୋନା ରିପୋର୍ଟକୁ ଅପେକ୍ଷା

ଲକ୍ଷ୍ନୌ,୨୯।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏପରିସ୍ଥଳେ ମୁମ୍ବାଇରୁ ୧୫୦୦ କିଲୋମିଟର ଚାଲି ଚାଲି ଉତ୍ତରପ୍ରଦେଶର ଜଣେ ଦିନ ମଜୁରିଆଙ୍କର ଘରେ ପହଞ୍ଚିବା ପରେ ମୃତ୍ୟୁ ଘଟିଛି। ୧୪ ଦିନ ଅନ୍ୟ ୧୦ ଜଣ ସାଥିଙ୍କ ସହିତ ଚାଲି ଚାଲି ଦିନମଜୁରିଆ ଇନସାଫ୍‌ ଅଲ୍ଲୀ ଶ୍ରାବସ୍ତି ଜିଲାର ନିଜ ଗାଁ ମଠକନଓ୍ବାରେ ଏପ୍ରିଲ୍‌ ୨୭ରେ ପହଞ୍ଚିଥିଲେ। ଏପ୍ରିଲ୍‌ ୧୩ରେ ସେ ମୁମ୍ବାଇଠାରୁ ଯାତ୍ରା ଆରମ୍ଭ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। କ୍ୱାରାଣ୍ଟାଇନ୍‌ରେ ରହିବାର କିଛି ଘଣ୍ଟାପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କରୋନା ସଂକ୍ରମିତ ହୋଇଥିଲେ କି ନାହିଁ ତାହାର ପରୀକ୍ଷା ରିପୋର୍ଟକୁ ଏବେ ଜିଲା ପ୍ରଶାସନ ଅପେକ୍ଷା କରିଛନ୍ତି। ଇନସାଫ୍‌ ମୁମ୍ବାଇରେ ରାଜମିସ୍ତ୍ରୀ ସହାୟକ ଭାବେ ସେ କାମ କରୁଥିଲେ। ସୁରକ୍ଷା ଦୃଷ୍ଟିରୁ ଏବେ ଇନସାଫ୍‌ଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସହିତ ଆସିଥିବା ସାଥିଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

Share