ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’

ଭୁବନେଶ୍ୱର,୨।୭(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଓଡ଼ିଶାକୁ ଧ୍ୱଂସବିଧ୍ୱସ୍ତ କରିଦେଇଥିଲେ ମଧ୍ୟ ରାଜ୍ୟ ବହୁଶୀଘ୍ର ଏହି ପ୍ରାକୃତିକ ବିପର୍ଯ୍ୟୟ ଜନିତ ସ୍ଥିତିରୁ ନିଜକୁ ବାହାର କରିପାରିଛି। ମାତ୍ର ୨ମାସ ମଧ୍ୟରେ ଓଡ଼ିଶା ନିଜକୁ ପୁନଃପ୍ରତିଷ୍ଠା କରି ଆସନ୍ତା ଜୁଲାଇ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ କରିବାକୁ ଯାଉଛି। ସମଗ୍ର ଦେଶବାସୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ନିଜର ଲୁକ୍କାୟିତ ଉତ୍କୃଷ୍ଠ ପର୍ଯ୍ୟଟନ ଶିଳ୍ପର ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇ ରହିଛି ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଜୁନ୍‌ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ’ରେ ଯୋଗଦେଇ ମନ୍ତ୍ରୀ ଉପସ୍ଥିତ ଟୁର୍‌ ଅପରେଟର୍‌ ଓ ଟୁର୍‌ ଗାଇଡ୍‌ମାନଙ୍କୁ ଏହା କହିଛନ୍ତି।
ଫିକି ଏବଂ ଓଡ଼ିଶା ପର୍ଯ୍ୟଟନର ମିଳିତ ସହଯୋଗରେ ଆୟୋଜିତ ଏହି ରୋଡ୍‌ ଶୋ’ରେ ମୁମ୍ବାଇର ୨୦୦ରୁ ଊର୍ଦ୍ଧ୍ୱ ଟୁର୍‌ ଓ ଟ୍ରାଭେଲ ଅପରେଟର ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ‘ବିଟୁବି’ ସେସନରେ ଓଡ଼ିଶାର ୧୮ଟି ପ୍ରମୁଖ ଟୁର୍‌ ଅପରେଟରଙ୍କ ସହ ସ୍ଥାନୀୟ ଟୁର୍‌ ଅପରେଟରମାନେ ଭାବ ବିନିମୟ କରିଥିଲେ। ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ଶିଳ୍ପର ବ୍ୟାପକତା, ବିଭିନ୍ନ ସୁବିଧା ସୁଯୋଗ ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଟୁର୍‌ ପ୍ୟାକେଜ୍‌ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା। ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀର ପ୍ରମୁଖ ଶିଳ୍ପପତି ଭି. କାମତ୍‌ ଏହି ରୋଡ୍‌ ଶୋ’ରେ ଯୋଗଦେଇ ଓଡ଼ିଶାରେ ତାଙ୍କ ଗ୍ରୁପ୍‌କୁ ଆହୁରି ବ୍ୟାପକ କରିବେ ବୋଲି କହିଥିଲେ। ଓଡ଼ିଶା ଏକ ଶିଳ୍ପ ଏବଂ ପୁଞ୍ଜିବିନିଯୋଗ ଅନୁକୂଳ ରାଜ୍ୟ। ଏଠାକାର ଖାଦ୍ୟ ଏବଂ କଳା, ସଂସ୍କୃତି ଭାରତର ଅନ୍ୟ ପ୍ରାନ୍ତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା। ଉଭୟ ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଥିଲେ। ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ ଏହି ଅବସରରେ ରାଜ୍ୟର ଧାର୍ମିକ ପର୍ଯ୍ୟଟନ, କ୍ରୀଡା ପର୍ଯ୍ୟଟନ, ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପରିବେଷିତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରହିଥିଲା।

Share