ମୁମ୍ବାଇରେ ମାଡ଼ିଚାଲିଛି କରୋନା

ମୁମ୍ବାଇ/ନୂଆଦିଲ୍ଲୀ,୨୪ା୪: ଭାରତରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୯୩୧ରେ ପହଞ୍ଚି ଥିବାବେଳେ ୭୧୬ ବ୍ୟକ୍ତି ପ୍ରାଣ ହରାଇଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୬,୪୨୭ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୁମ୍ବାଇରେ ୪ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୮ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୨୮୩ରେ ପହଞ୍ଚିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ସ୍ଥିତି ଜଟିଳ ରହିଛି।
ମହାରାଷ୍ଟ୍ର ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗୁଜରାଟ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ୨,୬୨୪ ରହିଥିବା ବେଳେ ୨୧୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧୧୨ ମୁଣ୍ଡ ଏଠାରେ ଗଡ଼ିସାରିଲାଣି। ରାଜଧାନୀ ଦିଲ୍ଲୀରେ ୨,୩୭୬ ଆକ୍ରାନ୍ତ ଥିବାବେଳେ ୫୦ ଜଣ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି। ରାଜସ୍ଥାନରେ ୨୭ ଜଣ ମୃତ୍ୟୁବରଣ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୩୭କୁ ବୃଦ୍ଧିପାଇଛି। ମଧ୍ୟପ୍ରଦେଶରେ ୮୩ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୧,୬୮୭ ଆକ୍ରାନ୍ତ। ତାମିଲନାଡ଼ୁରେ ୧,୬୮୩ କରୋନା ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ୨୦ ରହିଛି। ଉତ୍ତରପ୍ରଦେଶରେ ଯାଇଛି ୨୧ ଜୀବନ ଓ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧,୪୪୯ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନାରେ ୯୭୦, ଆନ୍ଧ୍ରପ୍ରଦେଶରେ ୮୯୩, ପଶ୍ଚିମବଙ୍ଗରେ ୪୫୬, କେରଳରେ ୪୪୭, କର୍ନାଟକରେ ୪୪୫, ଜମ୍ମୁ-କଶ୍ମୀରରେ ୪୩୪, ପଞ୍ଜାବରେ ୨୮୩ ସଂକ୍ରମିତ ଅଛନ୍ତି। ଗୋଟିଏ ଦିନରେ ୧,୫୫୯ ନୂଆ ରୋଗୀ ଚିହ୍ନଟ ହେବା ସହ ୩୫ ଜୀବନ ଯାଇଛି। ଏପର୍ଯ୍ୟନ୍ତ ୪,୮୧୦ ସୁସ୍ଥହୋଇ ଘରକୁ ଫେରିଛନ୍ତି।

Share