ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାରର ନୂଆଖାଇଁ ଭେଟ୍‌ଘାଟ୍‌

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ମୁମ୍ବାଇ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ରବିବାର ମୁମ୍ବାଇର ସ୍ବତନ୍ତ୍ରବୀର ସାବରକର ଅଡିଟୋରିୟମଠାରେ ୧୩ତମ ନୂଆଖାଇଁ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପରିଚାଳନା କମିଟିର ସଦସ୍ୟ ଚମ୍ପକ ତ୍ରିପାଠୀଙ୍କ କଣ୍ଠରୁ ଦେବୀଙ୍କ ମନ୍ତ୍ର ସହ ବରିଷ୍ଠ ମହିଳା ସଦସ୍ୟଙ୍କ ଦ୍ୱାରା ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହାପରେ ସମସ୍ତେ ପ୍ରସାଦ ପାଇବା ପରେ ନିଜ ନିଜକୁ ନୂଆଖାଇଁ ଜୁହାର କହି ଅଭିନନ୍ଦନ ଜଣାଇଥିଲେ। ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ନର ହରୁନ ରସିଦ ଖାନ, ଇନ୍‌କମ୍‌ ଟାକ୍ସ(ତଦନ୍ତ)ର ନିର୍ଦ୍ଦେଶକ ଆନନ୍ଦ କୁମାର, ଗ୍ଲୋବାଲ ମାର୍କେଟ୍‌ସ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏଚ୍‌. କେ. ଜେନା ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ‘ଜୁହାର’ ପତ୍ରିକାର ନବମ ସଂସ୍କରଣକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭବାନୀପାଟଣାର ‘ପ୍ରତିଭା’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସମ୍ବଲପୁର ଗୀତର ତାଳେ ତାଳେ ଉପସ୍ଥିତ ଦର୍ଶକ ମଧ୍ୟ ମନ୍ତ୍ରମୁଗ୍ଧ ହୋଇ ନୃତ୍ୟ ପରିବେଷଣ କରୁଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜକଙ୍କ ପକ୍ଷରୁ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପାଖାପାଖି ୫୦୦ଲୋକ ଏଠାରେ ପ୍ରସ୍ତୁତ ହୋଇଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ।

Share