ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଏସ୍‌ଡିପିଓ ନିଜ ଗାଡିରେ ଜିକେଭଟ୍ଟର ହସ୍‌ପିଟାଲକୁ ନେଇ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି।

ଜଳେଶ୍ୱର ଥାନା ଆରୁଆ ଗାଁର ସନ୍ତୋଷ ମହାନ୍ତି (୩୨) ନାମକ ଜଣେ କୋଠା ରଙ୍ଗ ମିସ୍ତ୍ରୀ ପ୍ରତିଦିନ ପଶ୍ଚିମ ମେଦିନୀପୁର ଜିଲା ଅନ୍ତର୍ଗତ ମୋହନପୁର ଥାନା ଅଞ୍ଚଳକୁ ଶ୍ରମିକ ଭାବେ ଯାଇ କାଯର୍‌ୟ କରିଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ନିଜ ଘରକୁ ଏକ ସ୍କୁଟିରେ ଫେରୁଥିବା ବେଳେ କଲେଜ ସମ୍ମୁଖ ରାସ୍ତାରେ ଥିବା ହମ୍ପସ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯାଇଥିଲେ। ଭାଗ୍ୟକୁ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ଚନ୍ଦନେଶ୍ୱରୁ ଫେରୁଥିବା ବେଳେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ବୁଝିଥିଲେ। ଏହାପରେ ସେ ସନ୍ତୋଷଙ୍କୁ ଉଦ୍ଧାର କରି ଜିକେ ଭଟ୍ଟର ହସ୍‌ପିଟାଲକୁ ନେଇଯାଇଥିଲେ।