ମୁଶରଫ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା: ରାୟ ସଂରକ୍ଷିତ; ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ଫାଶି ଦଣ୍ଡ

ଇସଲାମାବାଦ୍‌,୧୯।୧୧: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ୍‌ ମୁଶରଫ୍‌ଙ୍କ ବିରୋଧରେ ହୋଇଥିବା ମାମଲାର ରାୟ କୋର୍ଟ ମଙ୍ଗଳବାର ସଂରକ୍ଷିତ ରଖିଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ମୁଶରଫ୍‌ଙ୍କୁ ଫାଶି ଦଣ୍ଡାଦେଶ କରାଯିବାର ଆଶଙ୍କା ଥିବା କୁହାଯାଉଛି। କୋର୍ଟ ରାୟ ନଭେମ୍ବର ୨୮ରେ ପ୍ରକାଶ କରିବେ। ନଭେମ୍ବର ୨୬ ସୁଦ୍ଧା ଆବଶ୍ୟକୀୟ କାଗଜପତ୍ର କୋର୍ଟରେ ଦାଖଲ ପାଇଁ ମୁଶରଫଙ୍କ ଆଇନଜୀବୀଙ୍କୁ କୁହାଯାଇଛି। ୭୩ ବର୍ଷ ବୟସ୍କ ମୁଶରଫ୍‌ଙ୍କ ବିରୋଧରେ ୨୦୧୩ରେ ଅଭିଯୋଗ ଅଣାଯାଇଥିଲା। ୨୦୦୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବାରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଥିଲା। ତେବେ ୨୦୧୬ଠାରୁ ମୁଶରଫ ସ୍ବାସ୍ଥ୍ୟଗତ କାରଣରୁ ବିଦେଶରେ ରହିଛନ୍ତି। ୧୯୯୯ରେ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରୀଫ୍‌ ସରକାରଙ୍କୁ କ୍ଷମତା ଚ୍ୟୁତ କରି ମୁଶରଫ୍‌ ୨୦୦୮ ପର୍ଯ୍ୟନ୍ତ କ୍ଷମତା ଦଖଲ କରିଥିଲେ।

Share