ଲଳିତପୁର,୨୫।୮: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ଜଣେ ମୁସଲମାନ୍ ଆଇପିଏସ୍ ଅଫିସର ସାମ୍ପ୍ରଦାୟିକ ସଦ୍ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଳିତପୁର ସ୍ଥିତ ପୋଲିସ ଲାଇନ୍ରେ ଥିବା ମୁକ୍ତିଧାମ ମନ୍ଦିରରେ ଜନ୍ମାଷ୍ଟମୀ ଅବସରରେ ଆଇପିଏସ୍ ଅଫିସର ଏମ୍.ଏମ୍. ବେଗ୍ ବୈଦିକ ମନ୍ତ୍ରୋଚାରଣ ସହିତ ବିଧି ବିଧାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଛନ୍ତି। ଅଧଘଣ୍ଟାରୁ ଅଧିକ ସମୟ ସେ ହାତ ଯୋଡ଼ି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ। ଏହାପୂର୍ବରୁ ଶ୍ରାବଣ ମାସରେ ଏମ୍.ଏମ୍. ବେଗ ସ୍ଥାନୀୟ ଥାନେଶ୍ୱର ମନ୍ଦିରରେ ଜଳ ଲାଗି କରି ସାମ୍ପ୍ରଦାୟିକ ସଦ୍ଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।