ମୂଳାପାଳ ଗ୍ରାମ ପଞ୍ଚାୟତ: ଆଲୋକୀକରଣ ଦୁର୍ନୀତିର ତଦନ୍ତ ଆରମ୍ଭ

କୋରେଇ,୧ା୯(ଡି.ଏନ.ଏ.)- କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତରେ ଆଲୋକୀକରଣରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ଏହି ଘଟଣା ଉପରେ ବିଡିଓ ତଦନ୍ତ ଆରମ୍ଭ କରିଛନ୍ତି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଡ ଇଞ୍ଜିନିୟର ମନୋଜ କୁମାର ସେନାପତି, ଜୁନିୟର ଇଞ୍ଜନିୟର ନେହୁର ବେହେରା, ଜେଇ କୋରେଇ ଦେବାଶିଷ ମିଶ୍ର, ଭିଏଲଡବ୍ଲ୍ୟୁ ମୂଳାପାଳ ହୃଷିକେଶ ସିଂ, ଜିଆରଏସ୍‌ ସସ୍ମିତା ସାହୁଙ୍କ ସହିତ ଏକ ଟିମ୍‌ ଏହି ଦୁର୍ନୀତିର ତଦନ୍ତ କରିଥିବା ଜଣାପଡ଼ିଛି। ଏହି ଟିମ୍‌ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡ଼ିକରେ ଲଗାଯାଇଥିବା ଲାଇଟ୍‌ଗୁଡିକୁ ଚିହ୍ନଟ କରି ଗଣନା ଆରମ୍ଭ କରିଥିଲେ। ସର୍ବପ୍ରଥମେ ମୂଳାପାଳ ଗ୍ରାମରେ ୬ଟି ଲାଇଟ୍‌ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରୁ ୨ଟି ଲାଇଟରେ ପୁରୁଣା ଷ୍ଟାଣ୍ଡ ଥିବାବେଳେ ବରପଦାରେ ୩ଟି ଲାଇଟ, ରଣପାଳରେ ୭ଟି ଲାଇଟ, ଗୋବିନ୍ଦପୁର ଗ୍ରାମରେ ୩ଟି ଲାଇଟ ଲାଗିଥିବା ତଦନ୍ତରୁ ଜଣାପଡିଥିଲା। ତେବେ ଆହୁରି ୪ଟି ଗ୍ରାମର ତଦନ୍ତ ବାକି ରହିଯାଇଥିବା ଜଣାପଡ଼ିଛି। ଆଉ ଏକ ଦିନ ଅନ୍ୟ ଗ୍ରାମଗୁଡ଼ିକରେ ତଦନ୍ତ କରାଯିବ ବୋଲି ଆସିଷ୍ଟାଣ୍ଡ ଇଞ୍ଜିନିୟର କହିଛନ୍ତି। ଏହି ତଦନ୍ତବେଳେ ଗୋବିନ୍ଦପୁରର ଗ୍ରାମବାସୀ ୩ଏ ନଦୀବନ୍ଧଠାରୁ ହରିଜନ ସାହି ପର୍ଯ୍ୟନ୍ତ ନାଲିଗୋଡି ମାଟି ରାସ୍ତା ନିର୍ମାଣରେ ଦୁର୍ନୀତି ହେଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟର ମଧ୍ୟ ଉପଯୁକ୍ତ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏ ସମ୍ପର୍କରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ମନୋଜ କୁମାର ସେନାପତିଙ୍କୁ ପଚାରିବାରୁ, ତଦନ୍ତ ଆରମ୍ଭ ହୋଇଛି। ଯେଉଁ ସବୁ ବିଷୟର ତଦନ୍ତ ପାଇଁ ନିର୍ଦ୍ଦେଶ ଅଛି, ସେ ସବୁ ଉପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।