ମୂଳ ସ୍କୁଲକୁ ଫେରିଲେ ବଦଳି ଶିକ୍ଷକ

ବାଳକାଟୀ,୧୨ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକରେ ଗୋଟିଏ ସାଦା କାଗଜରେ ହୋଇଥିବା ୨୦ ଶିକ୍ଷକଙ୍କ ବଦଳି ମୌଖିକ ଭାବେ ପ୍ରତ୍ୟାହାର ହୋଇଛି। ଦୋଳପୂର୍ଣ୍ଣିମା ତଥା ଛୁଟି ପୂର୍ବଦିନ ଫୋନ ଯୋଗେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ମୂଳ ସ୍କୁଲକୁ ଫେରିଯିବାକୁ ନିର୍ଦ୍ଦେଶ ଆସିବା ପରେ ବୁଧବାର ସ୍କୁଲ ଖୋଲିଥିବାବେଳେ କେତେଜଣ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି। ତେବେ ଏଭଳି ଏକ ଦୁର୍ନୀତି ଘଟଣା ଜଣାପଡ଼ିବା ପରେ କିଭଳି ମୌଖିକ ଆଦେଶରେ ପୁଣି ମୂଳ ସ୍କୁଲରେ ଶିକ୍ଷକମାନେ ଯୋଗଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ(ଡିଇଓ) ବନ୍ଦନା ମହାପାତ୍ରଙ୍କୁ ପଚାରିବାରେ ଏପରି ହେବା କଥା ନୁହେଁ, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ବ୍ଲକର ୨୦ଜଣ ଶିକ୍ଷକ ବଦଳି ପାଇଁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ ଉଦ୍ଦେଶ୍ୟରେ ସାଦା କାଗଜରେ ଆବେଦନ କରିଥିଲେ। କିନ୍ତୁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ(ବିଆରସିସି) ସୁରେନ୍ଦ୍ର କୁମାର ସାହୁ ଗତ ଜାନୁୟାରୀ ୩୧ରେ ଅବସର ନେବାର ପୂର୍ବଦିନ ଶିକ୍ଷକଙ୍କ ବଦଳିକୁ ଅସ୍ଥାୟୀ ଭାବେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିବାରୁ ଶିକ୍ଷକମାନେ ନିଜ ମନମୁତାବକ ସ୍କୁଲରେ ଯୋଗଦେଇଥିଲେ। ତେବେ ବିନା ସରକାରୀ ନିର୍ଦ୍ଦେଶାନାମାରେ ଏହା ହୋଇଥିବାରୁ ଗତ ୭ତାରିଖରେ ଧରିତ୍ରୀରେ ‘ସାଦା କାଗଜରେ ୨୦ଶିକ୍ଷକଙ୍କ ବଦଳି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ଲକ ସ୍ତରରେ ତତ୍ପରତା ଦେଖାଇ ବିଇଓଙ୍କ କାର୍ଯ୍ୟାଳୟରୁ ଉକ୍ତ ଶିକ୍ଷକମାନଙ୍କୁ ମୂଳ ସ୍କୁଲରେ ଯୋଗଦେବା ପାଇଁ ନିର୍ଦ୍ଦେଶ ରହିଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ କେତେଜଣ ଶିକ୍ଷକ ବୁଧବାର ମୂଳ ସ୍କୁଲରେ ଯୋଗଦେଇଥିବାର ଜଣାପଡ଼ିଛି। ସାଧାରଣରେ ଶିକ୍ଷା ବ୍ୟବସ୍ଥାରେ ସାମୟିକ ବଦଳି ବ୍ୟବସ୍ଥା ନ ଥିବାବେଳେ ଏହା କିପରି ତାହା ତଦନ୍ତ ସାପେକ୍ଷ।

Share