Advertisement

ମୂଷା ଖାଇଦେଲା ରବର ଷ୍ଟାମ୍ପ, ବିନା ମୋହରରେ ଦିଆଯାଉଛି ରସିଦ

ଭବାନୀପାଟଣା/କେଗାଁ,୨୯।୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସିଡିପିଓ କାର୍ଯ୍ୟାଳୟରେ ବିନା ମୋହର(ରବର ଷ୍ଟାମ୍ପ)ରେ ରସିଦ ଦିଆଯାଉଛି। ରବର ଷ୍ଟାମ୍ପକୁ ମୂଷା ଖାଇ ଦେଇଥିବାରୁ ଏପରି କରାଯାଉଥିବା ଦାୟିତ୍ୱରେ ଥିବା ଅଧିକାରୀ କହୁଥିବାରୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ଖସିଗୁଡା ଗ୍ରାମର ପ୍ରେମଲାଲ ସୁନାନୀ ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟରେ ଛତୁଆ ଓ ପ୍ରିସ୍କୁଲ କିଟ୍‌ ଯୋଗାଣ ଆଦି ଉପରେ ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ଏକ ତଥ୍ୟ ମାଗିଥିଲେ। କାର୍ଯ୍ୟାଳୟର ସୂଚନା ଅଧିକାରୀ ଫୁରଲିଆ ମାଝୀ ସୂଚନା ଗ୍ରହଣ କରି ରସିିଦ ସହ ରିସିଭ କପି ଆବେଦନକାରୀଙ୍କୁ ଦେଇଥିଲେ। ତେବେ ଏହି ରସିଦ ଓ ରିସିଭ କପିରେ କେବଳ ଦସ୍ତଖତ ରହିଥିବାରୁ ପ୍ରେମଲାଲ ମୋହର ମାରିବା ପାଇଁ ଅଧିକାରୀଙ୍କୁ କହିଥିଲେ। ଅଧିକାରୀ ମାଝୀ ରବର ଷ୍ଟାମ୍ପକୁ ମୂଷା ଖାଇଦେଇଥିବା କହିଥିଲେ। ଯାହାଫଳରେ ବିନା ମୋହରରେ ପ୍ରେମଲାଲ ରସିଦ ଓ ରିସିଭ କପି ନେଇ ଫେରିଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ଓ ଅବହେଳାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏ ନେଇ ଗୋଲାମୁଣ୍ଡା ସିଡିପିଓ ପ୍ରିୟମଞ୍ଜୁରୀ ସାହୁଙ୍କୁ ପଚାରିବାରୁ ଏହା ଗୋଟିଏ ମାମୁଲି କଥା ବୋଲି କହିଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share