Categories: ଭଦ୍ରକ

ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ

ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି। କାହିଁ କେଉଁ କାଳରୁ ବରାଳପୋଖରୀ ଅଞ୍ଚଳରେ ପ୍ରତିବର୍ଷ ପରି ରୀତିନୀତି ଅନୁଯାୟୀ ଠାକୁରଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ବିସର୍ଜନ କରାଯାଉଥିଲା। ସ୍ଥାନୀୟ ଅଞ୍ଚଳର ଯୁବକ ମନୋଜ ମହାନ୍ତି ପିଲାଟି ଦିନୁ ମାଟି ରଥ ତିଆରି କରି କାଳିଆ ଠାକୁରଙ୍କୁ ରଥାଋଢ଼ କରି ବୁଲାଉଥିଲେ। ଏଥିସହ ପ୍ରତିଦିନ ପୂଜାର୍ଚ୍ଚନା କରୁଥିଲେ। ଥରେ ଜଗନ୍ନାଥ ଦର୍ଶନ କରିବାପାଇଁ ପୁରୀ ଯାଇ ସେଠାରୁ କାଠରେ ନିର୍ମିତ ତିନୋଟି ମୂର୍ତ୍ତି ଆଣି ଘରେ ପହଞ୍ଚିଥିଲେ। ସେହି ମୂର୍ତ୍ତି ଘରେ ପୂଜା ପାଇବା ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ଜଣେ ପଣ୍ଡିତ କହିଥିଲେ। ଏହା ପରେ ମନୋଜ ତିନୋଟି ମୂର୍ତ୍ତିକୁ ନେଇ ସ୍ଥାନୀୟ ଝାଟିଆ ସାହି ମଠରେ ରଖି ଦୀର୍ଘଦିନହେବ ପୂଜାର୍ଚ୍ଚନା କରିଆସୁଥିଲେ। ଛୋଟିଆ ଗ୍ୟାରେଜ ମିସ୍ତ୍ରି କାମ କରି ଗୁଜୁରାଣ ମେଣ୍ଟାଉଥିବା ମନୋଜ ନିଜ ହାତ ପାଣ୍ଠିରୁ କିଛି ଅର୍ଥ ସହ ଅନ୍ୟମାନଙ୍କ ସହଯୋଗରେ ନିଜ ସ୍ବପ୍ନକୁ ସାକାର କରିବାପାଇଁ ଏକ ମନ୍ଦିର ନିର୍ମାଣ କରି ବିଗ୍ରହମାନଙ୍କୁ ମଙ୍ଗଳବାର ସ୍ଥାପନ କରିଛନ୍ତି। ପ୍ରତିଷ୍ଠା ଉତ୍ସବରେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଭକ୍ତିପୂତ ପରିବେଶ ଦେଖିବାକୁ ମିଳିଥିଲା।