ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି ଚାଲିଲା ପୂଜାପାଠ। ଶେଷରେ ଗୁଣିଆ ଚତୁରତାର ସହ ଚମ୍ପଟ ମାରିଲା ଗ୍ରାମବାସୀଙ୍କ ଆଖିରେ ଧୁଳିଦେଇ। ସବୁ କିଛି ଘଟଣା ଥାନାର ୨ କିମି ଦୂରରେ ଘଟିଥିଲେ ବି ପୋଲିସ ପାଖରେ କିଛି ଖବର ନଥିଲା। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଗଞ୍ଜାମ ଜିଲା କବିସୂର୍ଯ୍ୟୟନଗର ଥାନା ଗୁଡ଼ିଆଳି କେନ୍ଦୁପାଟଣା ସାହିର କୃଷ୍ଣଚନ୍ଦ୍ର ଜେନା (୩୬)। ପେଶାରେ ଜଣେ ଅଟୋ ଡ୍ରାଇଭର। ଗୁରୁବାର ରାତି ପ୍ରାୟ ୮ଟାରେ ପେଟରେ ଯନ୍ତ୍ରଣା ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଶ୍ୱଶୁର ଘର ଲୋକେ କେହି ଗୁଣିଗାରେଡି କରି ମାରି ଦେଇଥିବା ସନ୍ଦେହ କରି ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ଶ୍ୱଶୁର ଘର ଶେରଗଡ଼ ନିକଟ ଇନ୍ଧନପୁର। ସେହି ଅଞ୍ଚଳର ଜଣେ ଗୁଣିଆକୁ ଶୁକ୍ରବାର ଆଣି ଗଁା ଶ୍ମଶାନରେ ପହଞ୍ଚତ୍ଥିଲେ ଶ୍ୱଶୁର ଘର ଲୋକ। ସେଠାରେ ପୂଜାପାଠ ଆରମ୍ଭ ହେଲା ଗୁଣିଆ ଦ୍ୱାରା। ଅପରାହ୍ନ ୩ଟା ପର୍ଯ୍ୟନ୍ତ। କୌଣସି ଉନ୍ନତି ନ ହେବାରୁ ଗ୍ରାମବାସୀ ଗୁଣିଆକୁ ଘେରାଉ କରିଥିଲେ। ତାର ନାମ, ଠିକଣା ପଚାରିଲେ ଗ୍ରାମବାସୀ। କାବୁ କରି ବାନ୍ଧିବାକୁ ଉଦ୍ୟମ କରିବାବେଳେ ଚତୁରତାର ସହ ସେ ଚମ୍ପଟ ମାରିଥିଲା। ତାପରେ ମୃତଦେହ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ସମୟ ଶ୍ମଶାନରେ ଗୁଣିଆର ପୂଜାପାଠ ଓ ୧୬ ଘଣ୍ଟା ମୃତଦେହ ରହିଥିଲେ ମଧ୍ୟ ପୋଲିସ ନଁା ଖବର ପାଇଲା ନଁା ଗୁଣିଆକୁ ଧରି ପାରିଲା।