Categories: ଜାତୀୟ

ମୃତ୍ୟୁ ନିଆଁରେ ରାଜନୀତି

ନୂଆଦିଲ୍ଲୀ,୯ା୧୨: ଦିଲ୍ଲୀର ଅନାଜ ମଣ୍ଡି ନିଆଁରେ ଜଳିଯାଇଛି ୪୩ ଜୀବନ। ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଏଥିରେ ବି ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି ଦଳ। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ଜୋର ଧରିଥିବା କୁହାଯାଉଛି ।
ଏହି ଭୟାବହ ଅଗ୍ନିକାଣ୍ଡ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ଦାୟୀ କରିଛି। କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ସହ ଅନାଜ ମଣ୍ଡିର ଅଗ୍ନିକାଣ୍ଡ ସ୍ଥଳ ପରିଦର୍ଶନ କରିଥିବା ଦିଲ୍ଲୀ ଭାଜପା ସଭାପତି ମନୋଜ ତିଓ୍ବାରୀ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ତାରଗୁଡ଼ିକ ଝୁଲି ରହିଥିଲା। ଏହାକୁ ନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ସରକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନ ଥିଲା। ଭାଜପା ନେତା ବିଜୟ ଗୋଏଲ ମଧ୍ୟ ଏଥିଲାଗି ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି। କେଜ୍‌ରିଓ୍ବାଲ ସରକାର ଏହି ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ପରିବର୍ତ୍ତେ ନିଜ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଉଚିତ। ଭବିଷ୍ୟତରେ ଏଭଳି ଘଟଣାକୁ ଏଡାଇବା ଲାଗି ସେମାନେ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ ଏଏପି ଓଲଟା ଭାଜପା ଉପରେ ଦୋଷ ଲଦିଛି। ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)କୁ ଭାଜପା ଚଳାଉଥିବାରୁ ୪୩ ଶ୍ରମିକଙ୍କ ମୃତ୍ୟୁ ଲାଗି ଗୈରିକ ଦଳ ଉତ୍ତରଦାୟୀ ହେବା ଉଚିତ। କାରଣ ଭାଜପା ଚାହିଁଥିଲେ ବେଆଇନ ଭାବେ ଚାଲିଥିବା ଏହି ବ୍ୟାଗ୍‌ ଫ୍ୟାକ୍ଟ୍ରିକୁ ପୂର୍ବରୁ ବନ୍ଦ କରିପାରିଥାନ୍ତା ବୋଲି ବରିଷ୍ଠ ଏଏପି ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ସମାଲୋଚନା କରିଛନ୍ତି। ସେହିପରି ଏଏପି ମୁଖପାତ୍ର ରାଘବ ଚଢ଼ା କହିଛନ୍ତି, ଅଗ୍ନିକାଣ୍ଡକୁ ନେଇ ଭାଜପା ରାଜନୀତି କରିବା ଦୁର୍ଭାଗ୍ୟଜନକ। ଅନାଜ ମଣ୍ଡିରେ ଫ୍ୟାକ୍ଟ୍ରି ଚଳାଇବା ପାଇଁ ଭାଜପା କାହିଁକି ଲାଇସେନ୍ସ ଦେଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୁରୂପ ଭାବେ କଂଗ୍ରେସ ଦିଲ୍ଲୀର ଏଏପି ସରକାର ଓ ଭାଜପା ନେତୃତ୍ୱାଧୀନ ଏମ୍‌ସିଡି ଉପରେ ଅଗ୍ନିକାଣ୍ଡ ପାଇଁ ଦୋଷ ଲଦିଛି। ଇତିମଧ୍ୟରେ ବିହାରର ମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ସଞ୍ଜୟ ଝା କହିଛନ୍ତି, ଅଧିକାଂଶ ମୃତକ ଆମ ରାଜ୍ୟର ମଧୁବନୀ ଓ ଦରଭଙ୍ଗାର ଲୋକ। ବିଦ୍ୟୁତ୍‌ ତାରଗୁଡ଼ିକ ଝୁଲୁଥିବାରୁ ଏହା ଘଟିଛି। ଏହା ଦିଲ୍ଲୀ ବିଦ୍ୟୁତ୍‌ ବିଭାଗର ବିଫଳତା।

Share