Categories: ଜାତୀୟ

ମୃତ ଏବଂ ଜେଲ୍‌ରେ ଥିବା ଉତ୍ତରପ୍ରଦେଶ ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ

ନୂଆଦିଲ୍ଲୀ,୧।୧: ଉତ୍ତରପ୍ରଦେଶର କେତେକ ମୃତ ଏବଂ ଜେଲରେ ଥିବା ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପୋଷ୍ଟଗୁଡ଼ିକୁ ଫେସବୁକ୍‌ ବନ୍ଧୁମାନେ ବିଭିନ୍ନ ସମୟରେ ନାନା କମେଣ୍ଟ ଓ ଲାଇକ ଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜେଲଦଣ୍ଡ ଭୋଗୁଥିବା ଡନ୍‌ଙ୍କ ନିକଟ ସମ୍ପର୍କୀୟ ସେମାନଙ୍କ ଫେସବୁକ୍‌ ପେଜ୍‌କୁ ପରିଚାଳନା କରୁଥିବା କୁହାଯାଉଛି। ସେହିପରି ମୃତ୍ୟୁଘଟିଥିବା କେତେକ ଡନ୍‌ଙ୍କ ଆକାଉଣ୍ଟ୍‌କୁ ସେମାନଙ୍କ ନିକଟ ସମ୍ପର୍କୀୟ ପରିଚାଳନା କରୁଛନ୍ତି। ଗୋରଖପୁର ଡନ୍‌ ବିରେନ୍ଦ୍ର ପ୍ରତାପ ଶାହିଙ୍କ ମୃତ୍ୟୁ ୧୯୯୭ରେ ଲକ୍ଷ୍ନୌରେ ଏକ ଗୁଳିକାଣ୍ଡରେ ଘଟିଥିଲା। ମୃତ୍ୟୁର ୨୨ ବର୍ଷ ପରେ ମଧ୍ୟ ତାଙ୍କର ଶେର୍‌-ଇ-ପୂର୍ବାଞ୍ଚଳ ପେଜ୍‌କୁ ୧,୭୬୭ ଲାଇକ୍‌ ମିଳିଥିବାବେଳେ ତାଙ୍କର ୧,୭୬୮ ଫଲୋରର୍ସ ରହିଛନ୍ତି। ସେହିପରି ଶ୍ରୀପ୍ରକାଶ ଶୁକ୍ଲା ନାମକ ଡନ୍‌ ମଧ୍ୟ ଫେସ୍‌ ବୁକ୍‌ରେ ସକ୍ରିୟ ରହିଛନ୍ତି। ତାଙ୍କର ମୃତ୍ୟୁ ଏକ ଗୁଳିକାଣ୍ଡରେ ୧୯୯୮ରେ ହୋଇଥିଲା। ମୁନା ବଜରଙ୍ଗୀଙ୍କର ମୃତ୍ୟୁ ଭାଗତପୁର ଜେଲରେ ୨୦୧୯ ଜୁଲାଇରେ ଘଟିଥିଲା। ସେ ମଧ୍ୟ ଫେସ୍‌ ବୁକ୍‌ରେ ସକ୍ରିୟ ରହିଛନ୍ତି। ଜେଲ୍‌ରେ ଥିବା ଅମନ ମଣି, ମୁକ୍ତାର ଅନସାରୀ ଆଦି ଡନ୍‌ ସକ୍ରିୟ ରହିଥିବା ଜଣାପଡ଼ିଛି। ଅମନଙ୍କ ବନ୍ଧୁ ତାଲିକାରେ ଅଖିଳେଶ ଯାଦବ, ଆଇପିଏସ୍‌ ଅଫିସର ଅତୁଲ ଶର୍ମା, ଆଇଏଏସ୍‌ ଅଫିସର ସଞ୍ଜୟ ପ୍ରସାଦ ଅରାଦି ରହିଛନ୍ତି। ଅନସାରୀଙ୍କ ବନ୍ଧୁ ତାଲିକାରେ ଭାଜପା ବିଧାୟକ କ୍ରିଷ୍ଣାନନ୍ଦ ରାୟ ରହିଛନ୍ତି। ସେହିପରି ଡନ୍‌ ବ୍ରିଜେଶ୍‌ ସିଂଙ୍କ ଫେସ୍‌ବୁକ୍‌ ବନ୍ଧୁ ତାଲିକାରେ ବହୁ ଏମ୍‌ପି ଏବଂ ବିଧାୟକଙ୍କ ନାମ ରହିଥିବା କୁହାଯାଉଛି।

Share