ମୃତ ବାଘର କଙ୍କାଳ ଜବତ, ୨ ଗିରଫ

ରେଢ଼ାଖୋଲ,୧୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଶରଧାପୁର ଗ୍ରାମରୁ ରବିବାର ରାତିରେ ବନ ବିଭାଗ ଏକ ମୃତ ବାଘର କଙ୍କାଳ ଜବତ କରିଛି। ଏହି ଘଟଣାରେ ବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅଜିତ ନାଏକ (୨୩) ଓ ଚୈତନ୍ୟ କୁଜୁର (୩୬)। ଏ ନେଇ ରେଢାଖୋଲ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବାଘଟିକୁ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରେ ଅଭିଯୁକ୍ତମାନେ ବନ୍ଧୁକ ସାହାଯ୍ୟରେ ମାରି ଦେଇଥିବା ସୂଚନା ପାଇ ଡିଏଫ୍‌ଓ ରମାକାନ୍ତ ନାୟକ ଏକ ଟିମ୍‌ ଗଠନ କରି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏସିଏଫ୍‌ ଦେବିପ୍ରସାଦ ରାଉତଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିବା ବେଳେ ସେମାନେ ବାଘକୁ ମାରି ଜଙ୍ଗଲରେ ପୋତିଦେଇଥିବା ଜାଣିଥିଲେ। ଅଭିଯୁକ୍ତମାନେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିବା ପରେ ସେହି ସ୍ଥାନରୁ ବାଘର ହାଡ, ମୁଣ୍ଡର ଖପୁରି ଆଦି ବନ ବିଭାଗ ଜବତ କରିଛି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲାବରେଟୋରିକୁ ପଠାଯାଇଛି। ଘଟଣାରେ ଅନ୍ୟ ୪ଜଣ ସମ୍ପୃକ୍ତ ଥିବା ଗିରଫ ଅଭିଯୁକ୍ତମାନେ ସୂଚନା ଦେବା ପରେ ସେମାନଙ୍କୁ ଗିରଫ କରିବାକୁ ବନବିଭାଗ ତନାଘନା ଚଳାଇଥିବା ଡିଏଫ୍‌ଓ କହିଛନ୍ତି। ତେବେ ବାଘକୁ ମାରିବା ପରେ ଅଭିଯୁକ୍ତମାନେ ତା’ର ଛାଲ, ନଖ, ଦାନ୍ତ ଆଦି ବିକ୍ରି କରି ଶରୀରକୁ ପୋତି ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଡିଏଫ୍‌ଓ ନାୟକ କହିଛନ୍ତି।

Share