Categories: ଫୁରସତ

ମୃତ ବାପାଙ୍କ ଫୋନ୍‌କୁ ୪ ବର୍ଷଧରି ମେସେଜ ଦେଉଥିଲେ ଝିଅ: ଅଚାନକ ଦିନେ ବାପାଙ୍କ ନମ୍ବରରୁ ଆସିଲା ଜବାବ, ଜାଣନ୍ତୁ ପୂରା ଘଟଣା

ଜୀବନରେ ମା’ବାପାଙ୍କ ସ୍ଥାନ କେହି ବି ନେଇ ନ ପାରେ। ଉଭୟଙ୍କ ମଧ୍ୟରୁ କାହାରିକୁ ହରାଇଦେବା ସନ୍ତାନଟିଏ ଗ୍ରହଣ କରିପାରେ ନାହିଁ। ତେବେ ପୁଅ ସହ ମା’ର ଏବଂ ବାପା ସହ ଝିଅର ସମ୍ପର୍କ ନିବିଡ଼ ବୋଲି କୁହାଯାଏ। ବାପାଙ୍କୁ ହରାଇବା ବେଳେ ଅଧିକ ଭାଙ୍ଗିପଡ଼ିଥାଏ ଝିଅ। ଆମେରିକାର ଅରକାଂଶରେ ରହୁଥିବା ଜଣେ ଝିଅଙ୍କ କ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଛି, ଯାହା ଆପଣଙ୍କୁ ଭାବବିହ୍ବଳ କରିପାରେ।
ଚାଷ୍ଟି ପିଟରଶନ୍‌ ବାପାଙ୍କୁ ହରାଇଥିଲେ। ସେବେଠାରୁ ସେ ତାଙ୍କ ଫୋନ୍‌କୁ ଏକ ମେସେଜ କରିଥାନ୍ତି। ଏକଦା ସେ ବାପାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ମଧ୍ୟ ସ୍ବର୍ଗତ ବାପାଙ୍କ ଫୋନ୍‌କୁ ମେସେଜ ଲେଖିଥିଲେ, ଯାହାର ଜବାବ ତାଙ୍କୁ ମିଳିଥିଲା। ନିଜ ମେସେଜରେ ଚାଷ୍ଟି ଲେଖିଥିଲେ, ବାପା! ତୁମ ମୃତ୍ୟୁକୁ ଚାରିବର୍ଷ ହେଲାଣି କିନ୍ତୁ ଏପରି ଗୋଟିଏ ଦିନ ନାହିଁ, ଯେଉଁଦିନ ମୁଁ ତୁମକୁ ମନେ ପକାଇନାହିଁ। ମୋତେ କ୍ଷମା କରିଦିଅ ବାପା। ଯେତେବେଳେ ତୁମ ପାଖେ ମୋର ରହିବା ନିତାନ୍ତ ଜରୁରୀ ଥିଲା ସେତେବେଳେ ତୁମ ପାଖରେ ନ ଥିଲି। ମାତ୍ର ସବୁଦିନ ପରି ଏହି ଲମ୍ବା ମେସେଜର ଗୋଟିଏ ଦିନ ଉତ୍ତର ଆସିବ ତାହା ସେ କଳ୍ପନା କରି ନ ଥିଲେ। ସେ ପାଇଥିବା ଉତ୍ତରରେ ଲେଖାଥିଲା, ହାୟ ସୁଇଟ୍‌ହାର୍ଟ। ମୁଁ ତୁମର ବାପା ନୁହେଁ। ମାତ୍ର ୪ ବର୍ଷ ଧରି ତୁମେ ପଠାଉଥିବା ସବୁ ମେସେଜ ମୋ ପାଖକୁ ଆସିଛି। ମୋର ନାମ ବ୍ରାଡ। ମୁଁ ମଧ୍ୟ ମୋର ଝିଅକୁ ୨୦୧୪ରେ ଏକ କାର୍‌ ଦୁର୍ଘଟଣାରେ ହରାଇଥିଲି। ମାତ୍ର ତୁମେ ପଠାଉଥିବା ଏହି ମେସେଜ ମତେ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚାଇ ରଖିଛି। ଏହାକୁ ମୁଁ ଭଗବାନଙ୍କ ଏକ ବାର୍ତ୍ତା ବୋଲି ଭାବି ନେଇଛି। ଅନେକ ଦିନ ଆଗରୁ ତୁମେ ପଠାଉଥିବା ମେସେଜର ରିପ୍ଲାଏ କରିବାକୁ ଚାହୁଁଥିଲି। ମାତ୍ର ଏପରି କରିବା ଦ୍ୱାରା ତୁମ ହୃଦୟରେ କଷ୍ଟ ହେବ ଭାବି କରି ନ ଥିଲି । ଆଜି ମୋ ଝିଅ ବଞ୍ଚିଥିଲେ ତୁମ ଭଳି ହୋଇଥାନ୍ତା। ପ୍ରତିଦିନର ମେସେଜ ପାଇଁ ଧନ୍ୟବାଦ। ଏହି ୨ଟି ମେସେଜର ସ୍କ୍ରିନ୍‌ଶର୍ଟ ନେଇ ଚାଷ୍ଟି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Share