ମୃତ ଭାବି ଶ୍ମଶାନ ନେଉଥିଲେ ପରିବାର ଲୋକେ, କିନ୍ତୁ ଜୁଇରୁ ଫେରିଆସିଲେ ମୃତକ

ସୋରଡ଼ା,୧୩।୧୦(ଡି.ଏନ୍‌.ଏ.): କୁହାଯାଏ ନିମିଷେ ମାତ୍ର ଆୟୁଷ ଥିଲେ ଯମ ନେଇପାରେ ନାହିଁ। ଠିକ୍‌ ସେହିପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ଲାଉଖାଲରେ। ଶ୍ମଶାନକୁ ଯିବା ବାଟରେ ଜୀବିତ ହୋଇ ପୁଣି ଫେରି ଆସିଛନ୍ତି ଜଣେ ବ୍ୟକ୍ତି।
ସୂଚନାଯୋଗ୍ୟ,ଗ୍ରାମର ସୀମାଞ୍ଚଳ ମଲିକ (୫୨) ଶନିବାର ଛେଳି ଚରାଇବାକୁ ଯାଇଥିଲେ। ଅପରାହ୍ନରେ ଛେଳିପଲ ଘରକୁ ଫେରିଥିଲେ ମଧ୍ୟ ସେ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିଲେ। ରବିବାର ସକାଳୁ ଗାଁ ନିକଟ ଜଙ୍ଗଲରେ କେହି ଜଣେ ପଡ଼ିଥିବା ଖବର ପ୍ରଚାର ହେବାରୁ ପରିବାର ଲୋକେ ସେଠାରେ ପହଞ୍ଚି ସୀମାଞ୍ଚଳ ପଡ଼ିଥିବା ଦେଖିଥିଲେ। ମୃତ ଭାବି ତାଙ୍କର କୋକେଇ ସଜଡ଼ା ଯାଇଥିଲା। ତେବେ ବନ୍ଧୁ ପରିଜନ ତାଙ୍କୁ କାନ୍ଧରେ ଶ୍ମଶାନ ନେଉଥିଲେ। ଗାଁ ମୁହଁରେ ମୃତଦେହରେ ମୁଖାଗ୍ନି ଦେବାର ପ୍ରଥା ଥିବାରୁ ଶବଧାରୀମାନେ କୋକେଇ ତଳକୁ କରିଥିଲେ। ଏହି ସମୟରେ ସୀମାଞ୍ଚଳ ନିଃଶ୍ୱାସ ପ୍ରଶ୍ୱାସ ନେଉଥିବା ଲୋକେ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ଆଣିଥିଲେ। ଡାକ୍ତର ତୁରନ୍ତ ଚିକିତ୍ସା କରିବାରୁ ସୀମାଞ୍ଚଳ ସୁସ୍ଥ ହୋଇ ଉଠି ବସିଥିଲେ। ତେବେ କାନ୍ଦବୋବାଳିରେ ଫାଟି ପଡୁଥିବା ଗାଁରେ ଆନନ୍ଦର ଲହରି ଖେଳିଯାଇଛି। ସୀମାଞ୍ଚଳଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି।

Share