ମୃତ ମହିଳା ଜୀବିତ ଘଟଣା: ଜେଲରୁ ମୁକୁଳିଲେ ନିର୍ଦ୍ଦୋଷ ସ୍ବାମୀ, ଶ୍ୱଶୁର

ବାରିପଦା ଅଫିସ,୨୯।୭- ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ ମହିଳାଙ୍କୁ ଜୀବନ୍ତ ଅବସ୍ଥାରେ ଶନିବାର କୋର୍ଟରେ ହାଜର କରିଛି। ତାଙ୍କ ବୟାନ ରେକର୍ଡ ପରେ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ସ୍ବାମୀ ସଞ୍ଜୟ ନାଏକ ଏବଂ ଶ୍ୱଶୁର ମଙ୍ଗଳ ନାଏକଙ୍କୁ ରବିବାର ରାଇରଙ୍ଗପୁର ଜେଲରୁ ଖଲାସ କରାଯାଇଛି। ଏହି ଘଟଣା ପୋଲିସର ଦାୟିତ୍ୱହୀନ ତଦନ୍ତ ଓ ତ୍ରୁଟିପୂର୍ଣ୍ଣ ଆଇନ ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉଲ୍ଲେଖନୀୟଯେ, ବାଦାମପାହାଡ ଥାନା ଅଧୀନ ପୁରୁଣାପାଣି ଗ୍ରାମର ରାଇମଣି କିଛି ମାସ ପୂର୍ବରୁ ଘରୁ ଚାଲିଯାଇ କଟକରେ ରହି କାମଧନ୍ଧା କରୁଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇ ନ ଥିଲେ। ଘଟଣା କ୍ରମେ ଗତ ଏପ୍ରିଲ ୨୭ ତାରିଖରେ ବାଦାମପାହାଡ ଥାନା ଅଧୀନ ପାହାଡପୁର ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିଥିଲା। ପୋଲିସ ଏହାର ତଦନ୍ତ କଲାବେଳେ ମୃତଦେହ ନିଖୋଜ ରାଇମଣିଙ୍କର ବୋଲି ତାଙ୍କ ଆତ୍ମୀୟସ୍ବଜନ ସନ୍ଦେହ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଇମଣିଙ୍କୁ ଜଙ୍ଗଲରେ ହତ୍ୟା କରାଯାଇଥିତ୍ବା ଦର୍ଶାଇ ପୋଲିସ ତାଙ୍କ ସ୍ବାମୀ ସଞ୍ଜୟ ନାଏକ ଓ ଶ୍ୱଶୁର ମଙ୍ଗଳ ନାଏକଙ୍କୁ ଗିରଫ କରିିଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୮/୧୯) ରୁଜୁ କରାଯାଇଥିଲା। ଗିରଫ ସଞ୍ଜୟ ଓ ତାଙ୍କ ବାପା ବିନା ଦୋଷରେ ସେବେଠାରୁ ଜେଲରେ ଦିନ କାଟୁଥିଲେ। ଗତ ସପ୍ତାହରେ ରାଇମଣି କଟକରୁ ଘରକୁ ଫେରି ଆସିବା ପରେ ଘଟଣା ଭିନ୍ନମୋଡ଼ ନେଇଥିଲା। ରାଇମଣିଙ୍କ ନିଖୋଜ ରହସ୍ୟ ଉପରୁ ପର୍ଦ୍ଦା ଉଠିବାରୁ ପୋଲିସକୁ ଅପଦସ୍ତ ହେବାକୁ ପଡିଥିଲା। ଏଭଳି ସ୍ଥିତିରେ ପୋଲିସ ସତର୍କତାର ସହ ରାଇମଣିଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରି ଶନିବାର ରାଇରଙ୍ଗପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କ ବୟାନ ରେକର୍ଡ ପରେ ପରିବାର ଲୋକଙ୍କ ହେପାଜତରେ ଛଡାଯାଇଛି।
ପାହାଡପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ କାହାର ତାହା ଜଣା ପଡି ନଥିବାରୁ ଏହା ପୋଲିସକୁ ଅଡୁଆରେ ପକାଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ କାହାର ଭୁଲ ରହିଛି ସେ ନେଇ ତଦନ୍ତ ଜାରି ରହିଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତିି। ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ ପଟ୍ଟନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ବିନା ଦୋଷରେ ହତ୍ୟାମାମଲାରେ ଗିରଫ ହୋଇ ସଜା କାଟୁଥିବା ସଞ୍ଜୟ ଓ ତାଙ୍କ ବାପା ମଙ୍ଗଳ ଜେଲରୁ ଖଲାସ ହୋଇ ଘରକୁ ଫେରିଯାଇଛନ୍ତି।