ମୃତ ରେଳ କର୍ମଚାରୀଙ୍କ ପରିବାରକୁ ୪୮ ଘଣ୍ଟାରେ ପେନ୍‌ସନ

ଭୁବନେଶ୍ୱର, ୫-୨:ଗତ ଜାନୁୟାରୀ ୨୮ ଦିନ ଖୋର୍ଦ୍ଧାରୋଡ଼ ଷ୍ଟେସନଠାରେ ରେଳପଥର ପଣ୍ୟବାହୀ ଟ୍ରେନରେ କାର୍ଯ୍ୟରତ ଗାର୍ଡ ପ୍ରଭୁଦତ୍ତ ବେହେରାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରିବାରବର୍ଗଙ୍କୁ ୪୮ ଘଣ୍ଟା ମଧ୍ୟରେ ପେନସନ ସହିତ ଅନ୍ୟାନ ପାଉଣା ପ୍ରଦାନ ନେଇ ରେଳପଥ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ଉଭୟ ଫାଇନାନ୍ସ ଓ ପର୍ସନେଲ ବିଭାଗ କର୍ମଚାରୀମାନଙ୍କ ଚେଷ୍ଠା ଯୋଗୁଁ ରେକର୍ଡ ସୃଷ୍ଟି ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ୩୧ରେ ସମସ୍ତ ପେନସନ ପୁସ୍ତିକା ଏବଂ ସମସ୍ତ ଦେୟର ପାଉଣା ପ୍ରଦାନ କରିଛନ୍ତି। ସ୍ବର୍ଗତ ବେହେରାଙ୍କର ଗତ ୨୮ ତାରିଖ ଦିନ ଖୋର୍ଦ୍ଧାରୋଡ଼ଠାରୁ ପଲାସା ପର୍ଯ୍ୟନ୍ତ ଟ୍ରେନରେ ଡ୍ୟୁଟି ଥିଲା। ରାତ୍ରି ୨ଘ.୩୮ମି.ରେ ଟ୍ରେନ ଛାଡିବା ପାଇଁ ସିଗ୍ନାଲ ଦେବାପରେ ତାଙ୍କ ଦେହ ଅକସ୍ମାତ ଖରାପ ହୋଇଥିଲା। ଟ୍ରେନ ଷ୍ଟାର୍ଟ ହେବାପାଇଁ ଟ୍ରେନ ଚାଳକ ବେହେରାଙ୍କଠାରୁ କିଛି ସଂକେତ ପାଇ ନ ଥିଲେ। ଟ୍ରେନ ଚାଳକ ସଙ୍ଗେସଙ୍ଗେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ରାତ୍ର ୨ଘ.୫୦ମି.ରେ ଟ୍ରେନ ଗାର୍ଡ ଭ୍ୟାନରେ ଅଚେତ ଅବସ୍ଥାରେ ବେହେରାଙ୍କୁ ଠାବ କରାଯାଇଥିଲା। ତୁରନ୍ତ ତାଙ୍କୁ ସେଠାରୁ ରେଳପଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ I ସ୍ବର୍ଗତ ବେହେରାଙ୍କ ସ୍ତ୍ରୀ, ଦୁଇଟି ପୁଅ ଏବଂ ଜଣେ ବିହାହିତ ଝିଅ ଅଛନ୍ତି। ପରିବାରର ଯେପରି କୌଣସି ଆର୍ଥିକ ଅସୁବିଧା ନହୁଏ ସେଥିପାଇଁ ରେଳପଥ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି।

Share