ମୃତ ଶିଶୁପୁତ୍ରକୁ ଜୀବିତ ପାଇଁ ଉଦ୍ୟମ : ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଲେ ମା’

ଡୁବୁରୀ,୯ା୯(ଡି.ଏନ୍‌.ଏ.) ଅସୁସ୍ଥତା କାରଣରୁ ମେଡିକାଲରେ ମୃତ୍ୟୁବରଣ କରିଥିବା ଏକ ଶିଶୁପୁତ୍ରକୁ ବଞ୍ଚାଇବାକୁ ପରିବାର ଲୋକେ ଉଦ୍ୟମ କରିଛନ୍ତି। ପ୍ରଥମେ ଗୁଣିଆ ଦ୍ୱାରା ଝଡ଼ାଫୁଙ୍କା କରିଥିଲେ। ଏଥିରେ ବିଫଳ ହେବାରୁ ଶିଶୁପୁତ୍ରର ମା’ ଶିଶୁକୁ ଧରି ରବିବାର ମଙ୍ଗଳା ମନ୍ଦିରରେ ଅଧିଆ ପଡ଼ିଥିଲେ। ହେଲେ ଶିଶୁପୁତ୍ର ଜୀବିତ ନ ହେବାରୁ ସେ ନିରାଶ ହୋଇ ଘରକୁ ଫେରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଜଖପୁରା ଥାନା ଅଧୀନ ବରପାଳ ଗ୍ରାମରେ। ଏହି ଗ୍ରାମର ଧନୁ ନାୟକ ଓ ଚିନୁ ନାୟକଙ୍କ ୬ ମାସର ଶିଶୁପୁତ୍ର ୭ ଦିନ ତଳେ ଥଣ୍ଡା ଜ୍ୱର ଓ କଫରେ ଆକ୍ରାନ୍ତ ହୋଇଥିଲା। ତାକୁ ଭଲ କରିବା ପାଇଁ ପ୍ରଥମେ ଡାକ୍ତରଖାନା ନେବା ପରିବର୍ତ୍ତେ ଡୁବୁରୀ ଅଞ୍ଚଳକୁ ନେଇ ଝଡାଫୁଙ୍କା କରାଇଥିଲେ। ଏଥିରେ କୁଆଡେ ଶିଶୁପୁତ୍ରର ଦେହ ଟିକେ ଭଲ ହୋଇଥିଲା। ପରେ ମା’ବାପା ତାକୁ ନେଇ ଘରକୁ ଚାଲିଯାଇଥିଲେ। ଶନିବାର ପୁଣି ଶିଶୁପୁତ୍ରକୁ ଜ୍ୱର ଓ କାଶ ହେବାରୁ ତାକୁ ଦାନଗନୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତା’ର ମୃତ୍ୟୁ ହୋଇଥିଲା। ପରେ ଶିଶୁପୁତ୍ରକୁ ମା’ବାପା ଘରକୁ ନେଇଯାଇଥିଲେ। ହେଲେ ରବିବାର ସକାଳୁ ମୃତ ଶିଶୁପୁତ୍ରକୁ ଧରି ତାର ମା’ ଡୁବୁରୀ ଢାବା ଛକ ନିକଟ ମା’ମଙ୍ଗଳାଙ୍କ ମନ୍ଦିରରେ ଅଧିଆ ପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିଆ ପଡ଼ିବା ପରେ ମୃତ ଶିଶୁ ଜୀବିତ ହୋଇ ନ ଥିଲା। ଏହାପରେ ସ୍ଥାନୀୟ କିଛି ଲୋକଙ୍କ ପରାମର୍ଶ କ୍ରମେ ଶିଶୁପୁତ୍ରକୁ ନେଇ ମା’ ଡୁବୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପୂର୍ବରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାରୁ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।