ମୃତ ଶ୍ରୀକାନ୍ତଙ୍କ ପରିବାରକୁ ଭେଟିଲେ ଜିଲାପାଳ

ଯାଜପୁର ଅଫିସ,୨୨ା୮: କଲିକତାଠାରେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ କୁରୁଡି ଗ୍ରାମର ଶ୍ରୀକାନ୍ତ ରାଉତଙ୍କ ରବିବାର ମୃତ୍ୟୁ ହୋଇଯାଇଥିଲା। ସିଂହପୁର-କଲିକତା ଯାଉଥିବା ସାହୁ ଟ୍ରାନ୍ସପୋର୍ଟ ବସ୍‌ର ଡ୍ରାଇଭର ଶ୍ରୀକାନ୍ତ କଲିକତାରେ ଗତ ୧୮ ତାରିଖ ରବିବାର ଦିନ ପହଞ୍ଚିବା ପରେ ଯାତ୍ରୀଙ୍କୁ ଓହ୍ଲାଇ ସାରି ଗାଡ଼ି ସଜାଡ଼ିବାକୁ ଯିବାବେଳେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ବୁଧବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ କୁମାର ଦାସ ମୃତ ଶ୍ରୀକାନ୍ତଙ୍କ କୁରୁଡ଼ିସ୍ଥିତ ଘରେ ପହଞ୍ଚତ୍ ତାଙ୍କ ୪ଗୋଟି କନ୍ୟା ଓ ବିଧବା ପତ୍ନୀଙ୍କୁ ଭେଟିବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ। ଜିଲାପାଳ ଦାସ ସ୍ବର୍ଗତ ଶ୍ରୀକାନ୍ତଙ୍କ ଘରେ ପହଞ୍ଚତ୍ ରେଡକ୍ରସ ପାଣ୍ଠିରୁ ତତ୍‌କ୍ଷଣାତ୍‌ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ପୂର୍ବରୁ ଶବସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ସହାୟତା ଦିଆଯାଇଥିଲା। ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ୨୦ ହଜାର ଟଙ୍କାର ସହାୟତା, ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା, ଝିଅମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ କରିବାକୁ ଜିଲାପାଳ ବ୍ୟବସ୍ଥା କରିଛନ୍ତି। ସେହିପରି ମୋ’ କୁଡ଼ିଆ ଯୋଜନାରେ ତାଙ୍କୁ ସାମିଲ କରି ଯଥାଶୀଘ୍ର ପକ୍କା ଘର ଯୋଗାଇ ଦେବାକୁ ଦଶରଥପୁର ବିଡିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍କୁଲ ଯାଉଥିବା ତାଙ୍କ ଝିଅଙ୍କ ପାଇଁ ମାସିକ ଦୁଇ ହଜାର ଟଙ୍କା ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତ ପୃଷ୍ଠପୋଷକତା ବ୍ୟବସ୍ଥା ଅନୁସାରେ ପ୍ରଦାନ ପାଇଁ ଜିଲାପାଳ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳଙ୍କ ସହ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲାପାଳ ତଥା ଜିଲା ରେଡକ୍ରସ ଶାଖାର ସମ୍ପାଦକ କୁଳମଣି ନାୟକ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଚିତାଳୋ ସରପଞ୍ଚ ଓ ଦଶରଥପୁର ବ୍ଲକର କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।