ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଚଳିତ ବର୍ଷ ଶେଷଭାଗରେ ମେକ୍‌ ଇନ୍‌ ଓଡ଼ିଶା-୨୦୨୦ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ହୋଇଥିଲା। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କନ୍‌କ୍ଲେଭ ଯେପରି ଅଧିକ ଫଳପ୍ରଦ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ଅସିତ ତ୍ରିପାଠୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୩୦ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି କନ୍‌କ୍ଲେଭ ୫ ଦିନ ଧରି ଚାଲିବ। ଏହି କନ୍‌କ୍ଲେଭରେ ୧୬ଟି ବୃହତ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଏଗୁଡ଼ିକ ହେଉଛି- ନଗର ଉନ୍ନୟନ, ଆଇଟି, ଆପେରେଲ ଏବଂ ଟେକ୍ସଟାଇଲ, ଡାଉନଷ୍ଟ୍ରିମ୍‌, ଆଗ୍ରୋ ଓ ଫୁଡ୍‌ ପ୍ରୋସେସିଙ୍ଗ୍‌, ପର୍ଯ୍ୟଟନ, ଟ୍ରାଭେଲ ଟ୍ରେଡ୍‌ , ମାଇନିଂ ଆଣ୍ଡ ମିନେରାଲ୍ସ, ମେଟାଲ ପ୍ରଡକ୍ସନ, ରସାୟନ, ପେଟ୍ରୋକେମିକାଲ୍ସ ଓ ପ୍ଲାଷ୍ଟିକ, ଭିତ୍ତିଭୂମି ଆଦି ରହିଛି। ଏଥିରେ ରାଷ୍ଟ୍ରଦୂତମାନଙ୍କ ସମ୍ମିଳନୀ, ସ୍କିଲ୍‌ ଫେଷ୍ଟ, ସିଇଓ ରାଉଣ୍ଡ ଟେବଲ ଇତ୍ୟାଦି କରାଯିବ ବୋଲି ଜଣାପଡ଼ିଛି।

Share