ମେଟଲ୍‌ ମିଟ୍‌-୨୦୧୯: ଜୁନିୟର୍‌ ଗ୍ରୁପ୍‌ରେ ୪୩ଟିମ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ):‘ମେଟଲ୍‌ ମିଟ୍‌-୨୦୧୯’ର ଜୁନିୟର୍‌ ଗ୍ରୁପ୍‌ ପାଇଁ ରେଜିଷ୍ଟ୍ରେଶନ୍‌ ଶେଷ ହୋଇଛି। ଏଥିରେ ଓଡ଼ିଶାର ୪୨ଟି ପ୍ରମୁଖ ଶିକ୍ଷାନୁଷ୍ଠାନରୁ ମୋଟ ୪୩ଟି ଟିମ୍‌ ଭାଗ ନେଇଛନ୍ତି। ମେଟଲ୍‌ ମିଟ୍‌-୨୦୧୯ରେ ଭୁବନେଶ୍ୱରରୁ ସର୍ବାଧିକ ୨୪ଟି ଶିକ୍ଷାନୁଷ୍ଠାନ ରହିଛି। ଏହା ବ୍ୟତୀତ କଟକରୁ ୮, ଢେଙ୍କାନାଳ, ସମ୍ବଲପୁର ଓ ରାଉରକେଲାରୁ ୨ଟି ଲେଖାଏଁ ଶିକ୍ଷାନୁଷ୍ଠାନ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ସେହିପରି ବାଲେଶ୍ୱର, ଭଦ୍ରକ ଓ ଅନୁଗୋଳରୁ ଗୋଟିଏ ଲେଖାଏଁ ସ୍କୁଲ ଅଂଶ ଗ୍ରହଣ କରିଛନ୍ତି। କଟକସ୍ଥିତ ଏସ୍‌ସିବି ମେଡିକାଲ ପବ୍ଲିକ୍‌ ସ୍କୁଲ୍‌ରୁ ୨ଟି ଟିମ୍‌ ରହିଛନ୍ତି। ଗତବର୍ଷ ଜୁନିୟର୍‌ କାଟାଗୋରୀରେ ୩୪ଟି ସ୍କୁଲ ଓ ଜୁନିୟର୍‌ କଲେଜର ପ୍ରତିଯୋଗୀ ଭାଗନେଇଥିଲେ। ଟପ୍‌ ୮ ଟିମ୍‌ ମଧ୍ୟରେ ଭୁବନେଶ୍ୱରର ମଦର୍ସ ପବ୍ଲିକ୍‌ ସ୍କୁଲ, ପୋଖରୀପୁଟ ଡିଏଭି, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, କଟକର ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ, ରେଭେନ୍ସା ଜୁନିୟର୍‌ କଲେଜ, ରାଉରକେଲା ଡିଏଭି ସ୍କୁଲ, ପୁରୀର ବ୍ଲେସ୍‌ଡସାକ୍ରାମେଣ୍ଟ ସ୍କୁଲ ଓ ବାଲେଶ୍ୱରର ସେଣ୍ଟ୍‌ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲ ରହିଥିଲା। ଭୁବନେଶ୍ୱରର ମଦର୍ସ ପବ୍ଲିକ୍‌ ସ୍କୁଲକୁ ମେଟଲ୍‌ ମିଟ୍‌ ୨୦୧୮ର ଚାମ୍ପିୟନ୍‌ ଟାଇଟଲ୍‌ ମିଳିଥିଲା।

Share