ମେଟ୍‌ଲ ମିଟ୍‌-୨୦୧୯: ସିନିୟର ଗ୍ରୁପ୍‌ରେ ଆଇଜିଆଇଟି ସରାଙ୍ଗ ଚାମ୍ପିଅନ୍‌, ଜୁନିୟରରେ ପୁଣି ବାଜି ମାରିଲା ମଦର୍ସ ପବ୍ଲିକ ସ୍କୁଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ ଶେଷ ହୋଇଛି। ଏହାର ସିନିୟର ଗ୍ରୁପ୍‌ର ଆଇଜିଆଇଟି(ସରାଙ୍ଗ) ବାଜି ମାରିଥିବା ବେଳେ ଜୁନିୟର ବର୍ଗରେ ଗତ ବର୍ଷର ବିଜେତା ମଦର୍ସ ପବ୍ଲିକ୍‌ ସ୍କୁଲ ପୁଣି ବାଜି ମାରିଛି। ସିନିୟର ଗ୍ରୁପ୍‌ରେ ପ୍ରଥମ ରନର୍ସ ଅପ୍‌ ଏନ୍‌ଆଇଟି ରାଉରକେଲା ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛି ଏମ୍‌ସ ଭୁବନେଶ୍ୱର ଟିମ୍‌। ସେହିଭଳି ଜୁନିୟର ଗ୍ରୁପ୍‌ରେ ଡି.ଏ.ଭି ପବ୍ଲିକ ସ୍କୁଲ(ୟୁନିଟ-୮) ଭୁବନେଶ୍ୱର ଟିମ୍‌ ପ୍ରଥମ ରନର୍ସ ଅପ୍‌ ଏବଂ ଡି.ଏ.ଭି. ପବ୍ଲିକ ସ୍କୁଲ(ସିଡିଏ,କଟକ) ଟିମ୍‌ ଦ୍ୱିତୀୟ ରନର୍ସ ଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛି।

ଉଭୟ ଗ୍ରୁପ୍‌ର ଚାମ୍ପିଅନ୍‌ ଟିମ୍‌ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଥମ ରନର୍ସ ଅପ୍‌ ଟିମ୍‌କୁ ୫୦ହଜାର ଏବଂ ଦ୍ୱିତୀୟ ରନର୍ସ ଅପ୍‌ ଟିମ୍‌କୁ ୨୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।

ଅତିଥି ଭାବେ ଓଡ଼ିଶା ମାଇନିଂ କର୍ପୋରେଶନର ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଓଡ଼ିଶା ପୋଷ୍ଟ ଏବଂ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ।

Share