ମେଡିକାଲରୁ ଉଭାନ ରୋଗୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ମେଡିସିନ (ପୁରୁଷ) ଓ୍ବାର୍ଡରୁ ବୁଧବାର ରାତିରେ ନିଖୋଜ ହୋଇଯାଇଥିବା ଜଣେ ରୋଗୀଙ୍କ ମୃତଦେହ ମେଡିକାଲଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଆଟପୁର ସାହି ନିକଟରୁ ଗୁରୁବାର ସକାଳେ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ରିଙ୍କୁ ମୁଖୀ (୩୬)। ଘର ଝୁମ୍ପୁରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କୁ କେତେକ ଲୋକ ଗତକାଲି ରାତିରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅତ୍ୟଧିକ ମଦ୍ୟପାନ କରି ଅସୁସ୍ଥ ହୋଇ ପଡ଼ବାରୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତାଙ୍କୁ ଇଞ୍ଜେକ୍ସନ/ସାଲାଇନ ଦିଆଯାଇ ଚିକିତ୍ସା କରାଯାଇଥିଲା। ହଠାତ୍‌ ବିଳମ୍ବିତ ରାତିରେ ନିଖୋଜ ହୋଇଯାଇଥିଲୋ। ବେଡ୍‌ରେ ନ ଥିବା ଦେଖି ମେଡିକାଲ ପକ୍ଷରୁ ଖୋଜାଖୋଜି କରାଯାଇଥିଲା। ଏନେଇ ମେଡିକାଲ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ବୋଲି ସିଡିଏମଓ ଡାକ୍ତର ଅଶୋକ କୁମାର ଦାଶ କହିଛନ୍ତି। ତେବେ ଗୁରୁବାର ସକାଳେ ସ୍ଥାନୀୟ ଆଟୋପୁର ସାହି ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ହାତରେ ଇଞ୍ଜେକ୍‌ନ ଦେବା ପାଇଁ କିଡ୍‌ସ ଲାଗିଥିଲା। ରୋଗୀ ଚିହ୍ନଟ ହେବା ପରେ ମେଡିକାଲ ଅଣାଯାଇ ମୃତଦେହ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ସେହିପରି ତାଙ୍କୁ କିଏ କାହିଁକି ଆଣି ଏଠାରେ ଆଡମିଶନ କରିଥିଲେ ତାହା ମଧ୍ୟ ତଦନ୍ତସାପେକ୍ଷ। ପୋଲିସ ସବୁ ଦିଗରୁ ତଦନ୍ତ କରୁଥିବା ଜଣାପଡ଼ିଛି।କୋହଳ ସୁରକ୍ଷା ବ୍ୟବସ୍ଥାରୁ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଅସାମାଜିକ କାର୍ଯ୍ୟକଳାପ, ଗାଡ଼ି ଚୋରି ଭଳି ଘଟଣା ଘଟୁଥିବା ବେଳେ ମେଡିସିନ (ପୁରୁଷ) ଓ୍ବାର୍ଡରେ ଚିକିତ୍ସିତ ଜଣେ ରୋଗୀ ନିଖୋଜ ଘଟଣା ପୁଣି ଥରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।