ମେଡିକାଲରେ ଥଣ୍ଡା ରୋଗୀଙ୍କ ଲମ୍ବାଧାଡ଼ି

ଏରସମା, ୧୯।୩ (ସ୍ବ.ପ୍ର.): ଥଣ୍ଡା, କାଶ, ଜ୍ୱର କରୋନା ସଂକ୍ରମଣର ଲକ୍ଷଣ। ଏ ନେଇ ପ୍ରଚାରିତ ହେବା ପରେ ଏରସମା ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଥଣ୍ଡା, ଜ୍ୱର ବା କାଶ ହେଉଥିବା ରୋଗୀମାନେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଲମ୍ବା ଧାଡ଼ି ବାନ୍ଧିଥିବା ଦେଖିବାକୁ ମିଳିଛି। ସୋମବାର ସୁଦ୍ଧା ୨୦୮ ଜଣ ରୋଗୀ ମେଡିକାଲରେ ନାମ ପଞ୍ଜୀକୃତ କରାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୩ଶହ ଟପିଯାଇଛି। ଏ ସମ୍ପର୍କରେ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଅମିୟ ସ୍ବାଇଁଙ୍କୁ ପଚାରିବାରୁ ଥଣ୍ଡାରୋଗୀଙ୍କର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ କିଭଳି ସତର୍କତା ଅବଲମ୍ବନ କରିବା ଦରକାର, ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହିତ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ମଧ୍ୟ ଖୋଲାଯାଇଛି। ବିଶେଷକରି ସାବୁନରେ ହାତ ଧୋଇବାର ଠିକ୍‌ ଉପାୟ ଓ ଭୟ ଦୂରୀକରଣ ପାଇଁ ପରାମର୍ଶ ଦିଆଯାଉଛି। ଏଥିସହିତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଓ ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ୧୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଯଦି ସେପରି କେହି ଗୁରୁତର ଚିହ୍ନଟ ହୁଅନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ବିଶୋଧନ ପ୍ରକୋଷ୍ଠ ଖୋଲାଯାଇଛି ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।

Share