ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ ୪ ମାସ ମଧ୍ୟରେ ୮ ଥର ଏପରି ଘଟଣା ଘଟିଥିଲେ ମଧ୍ୟ ମେଡିକାଲ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ସିସିଟିଭି ଯାଞ୍ଚ କରିବା କି ଥାନାରେ ଏତଲା ଦିଆଯାଉ ନ ଥିବାରୁ ଏ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ଆଠମଲ୍ଲିକ ନିରିମୂଳା ଅଞ୍ଚଳର ବିଘ୍ନେଶ୍ୱର ପ୍ରଧାନ(୫୮) କିଡ୍‌ନୀ ଜନିତ ରୋଗ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ସେ ମେଡିକାଲ ଆସୁଥିବା ବେଳେ ଜେଲ ଛକ ଠାରେ ଜଣେ ଦଲାଲ୍‌ ତାଙ୍କୁ ଭେଟିବା ସହ କିଡ୍‌ନୀ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ମୁଖ୍ୟ ଚିକିତ୍ସାଳୟ ଆଉଟଡୋରରୁ ଟିକେଟ୍‌ କରିବା ପରେ ସମ୍ପୃକ୍ତ ଦଲାଲ କିଡ୍‌ନୀ ଖରାପ ଥିବା ରୋଗୀଙ୍କୁ ସରକାରଙ୍କ ପକ୍ଷରୁ ୮୦ ହଜାର ଟଙ୍କା ମିଳୁଛି, ତୁମକୁ ମିଳିଛି କି ନାହିଁ ବୋଲି ପଚାରି କୋର୍ଟ ଆଡ଼କୁ ନେଇଯାଇଥିଲେ। ୮୦ ହଜାର ଟଙ୍କା ପାଇବାକୁ ହେଲେ ୧୨ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଥିଲେ।