ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍ସିଲ (ଏମ୍ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି ଏହି ବିଲ୍ ଅଣାଯାଇଛି। ମେଡିକାଲ ଚିକିତ୍ସା ବିଭାଗରେ ଇନ୍ସ୍ପେକ୍ଟର ରାଜ୍ର ଅବସାନ ଲାଗି ଏହା ଏକ ବଡ଼ ସଂସ୍କାର ବୋଲି ସରକାର କହିଛନ୍ତି। ବିଲ୍ର ବ୍ୟବସ୍ଥା ଅନୁଯାୟୀ ଏମ୍ବିବିଏସ୍ ଶେଷ ବର୍ଷ ପରୀକ୍ଷାକୁ ପିଜି ପାଇଁ ପ୍ରବେଶିକା ପରୀକ୍ଷା (ଏଣ୍ଟ୍ରାନ୍ସ) ଭାବେ ଗ୍ରହଣ କରାଯିବ। ସେହିପରି ବିଦେଶରେ ମେଡିସିନ୍ରେ ସ୍ନାତକ ଡିଗ୍ରୀ କରି ଫେରୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଏକ ସ୍କ୍ରିନିଂ ପରୀକ୍ଷା କରାଯିବ। ଏହାକୁ ଜାତୀୟ ପ୍ରସ୍ତାନ ପରୀକ୍ଷା (ନେକ୍ସଟ୍) କୁହାଯିବ। ପ୍ରସ୍ତାବିତ ଜାତୀୟ ମେଡିକାଲ କମିଶନ (ଏନ୍ଏମ୍ସି) ଭିତ୍ତିଭୂମିର ବାରମ୍ବାର ଅନୁଧ୍ୟାନ ନ କରି ଫଳାଫଳ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।