ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବାଇକ୍‌ ରାଲି

ଭଦ୍ରକ ଅଫିସ, ୩୦।୧୧: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ଦାବି ଏବେ ଜୋର ଧରିଛି। ଜିଲାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥିବାବେଳେ ସରକାର ଜିଲାବାସୀଙ୍କୁ ବାରମ୍ବାର ଅଣଦେଖା ସହ ପ୍ରତାରଣା କରିଆସିଛନ୍ତି। ଜିଲାର ସାମୂହିକ ବୃହତ୍ତର ସ୍ବାର୍ଥ ମେଡିକାଲ କଲେଜ ଲାଗି ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ସାଙ୍ଗକୁ ଜିଲାରେ ବନ୍ଦ ମଧ୍ୟ ପାଳନ କରାଯାଇଛି। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ଏକ ଘଣ୍ଟା ପାଇଁ ଏହି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଗଣମାଧ୍ୟମକୁ ବିବୃତ୍ତି ଦେଇ ପୁଣି ଫେରାଇ ନେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଫଳରେ ଜିଲାବାସୀ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ସମାଲୋଚନା କରାଯାଉଛି। ଏପରି ସ୍ଥଳେ ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ଶନିବାର ଅପରାହ୍ନରେ ମହତାବ ଛକ ସମେତ ଭଦ୍ରକ ସହରର ବିଭିନ୍ନ ଛକରେ ପ୍ରତିବାଦ ସଭା କରାଯାଇଛି। ସଂଗ୍ରାମୀ ସେନା ମୁଖ୍ୟ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବାଇକ୍‌ ରାଲି ହୋଇଥିଲା। ଏଥିରେ ଶତାଧିକ ଯୁବକ ସାମିଲ ହୋଇ ସହର ପରିକ୍ରମା କରିଥିଲେ। ଜିଲାବାସୀଙ୍କ ହକ୍‌କୁ ତୁରନ୍ତ ରାଜ୍ୟ ସରକାର ମାନି ନେବାକୁ ଦାବି କରାଯାଇଛି। ରାଜ୍ୟ ସରକାର ଶୁକ୍ରବାର ଘୋଷଣା କରି ପୁନଃ ବାତିଲ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଗ୍ରାମୀ ସେନାର ପଣ୍ଡିତ ଆଚାର୍ଯ୍ୟ କହିଛନ୍ତି। ସେହିଭଳି ଜିଲା ଯାଦବ ମହାସଭା ଭଦ୍ରକର ଭାରପ୍ରାପ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ତୁରନ୍ତ ସରକାରୀ ମେଡିକାଲ କଲେଜ ପାଇଁ ସ୍ଥାନ ଯୋଗାଇ ଦିଆଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବାକୁ ଦାବିପତ୍ରରେ ଦର୍ଶାଯାଇଛି। ଜିଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ଅମର କୁମାର ବାରିକ, ଉପସଭାପତି ମନୋଜ ପାଣ୍ଡବ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ବାରିକ, ଜିଲା ଯୁବ ଯାଦବ କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।